
ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ‘ହର ଘର ଦସ୍ତକ’ ଟିକାକରଣ ଅଭିଯାନ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ଘରକୁ ଘର ଯାଇ ଆଶା, ଅଙ୍ଗନବାଡ଼ି, ଏଏନ୍ଏମ୍ମାନେ ସେମାନଙ୍କୁ ଚିହ୍ନଟ କରିବେ। ଟିକା ନେଇ ନ ଥିବା ଲୋକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ ଗାଁରେ ଅଧିକ ଲୋକସଂଖ୍ୟା ଥିବା ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।
ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଟିକାକରଣ ଅଧିବେଶନ ଆୟୋଜନ କରାଯାଉଥିଲେ ହେଁ ଟିକାକରଣ ସଂଖ୍ୟା ବଢ଼ୁନାହିଁ। ବେଶ୍ କିଛିଦିନ ହେବ ରାଜ୍ୟରେ ଦୈନିକ ଟିକାକରଣ ୩ଲକ୍ଷ ପାର୍ କରିନାହିଁ। ଏପଟେ ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଜି ରାଜ୍ୟରେ ୨୨୨୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨ଲକ୍ଷ ୯୩ହଜାର ୧୯୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଯୁବ ବର୍ଗରେ ୮୨,୨୧୪ ପ୍ରଥମ ଓ ୧,୧୫,୫୦୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୩୭,୬୯୨ ପ୍ରଥମ ଓ ୫୬,୮୮୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୫୧୮୧ ଗର୍ଭବତୀ ମହିଳା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ଯୁବ ବର୍ଗର ୭୩ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୩ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୭୫ଲକ୍ଷ ୫୭ହଜାର ୧୫୭ ଡୋଜ୍ ଟିକା ଦିଆଗଲାଣି।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ