
ଆବୁଧାବି : ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ନ୍ୟୁଜିଲାଣ୍ଡ। ବୁଧବାର ଏଠାରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୫ ୱିକେଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ମୋଇନ୍ ଅଲୀଙ୍କ ଅପରାଜିତ ଅର୍ଦ୍ଧଶତକ ସହ କିଛି ଉପଯୋଗୀ ଯୋଗଦାନ ବଳରେ ୨୦୧୦ର ଚମ୍ପିଆନ୍ ଇଂଲଣ୍ଡ ୪ ୱିକେଟରେ ୧୬୬ ରନ୍ କରିଥିଲା। ଏକଦା କଷ୍ଟସାଧ୍ୟ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ ଡ୍ୟାରିଲ ମିଚେଲ, ଡେଭନ୍ କନ୍ୱେ ଓ ଜେମ୍ସ ନିସାମ୍ଙ୍କ ଚମତ୍କାର ବ୍ୟାଟିଂ ବଳରେ ୬ଟି ବଲ୍ ବାକିଥାଇ ୫ ୱିକେଟ ହରାଇ ଜିତିଥିଲା। ପୂର୍ବରୁ ୨ ଥର ଟି୨୦ ବିଶ୍ବକପ୍ ସେମିଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ପ୍ରଥମଥର ଟି୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଛି। ପୁଣି ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୨୦୧୯ ଦିନିକିଆ ବିଶ୍ବକପ୍ ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡଠାରୁ ପରାଜୟର ପ୍ରତିଶୋଧ ନେଇପାରିଛି। ପାକିସ୍ତାନ ଓ ଅେଷ୍ଟ୍ରଲିଆ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ୍ର ବିଜେତା ବିରୋଧରେ ନ୍ୟୁଜିଲାଣ୍ଡ ରବିବାର ଫାଇନାଲ ମୁକାବିଲା ଖେଳିବ।
୧୬୭ ରନ୍ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩ୟ ଓଭରରେ ୧୩ ରନ୍ ସ୍କୋର୍ରେ ୨ଟି ୱିକେଟ ହରାଇଥିଲା। ନ୍ୟୁଜିଲାଣ୍ଡର ସଫଳ ଓପ୍ନର ମାର୍ଟିନ୍ ଗପ୍ଟିଲ ୪ ରନ୍କରି ବିଦାୟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ବ୍ୟାଟିଂର ମେରୁଦଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନ ୫ ରନ୍କରି ଆଉଟ ହୋଇଥିଲେ। ପରେ ଓପ୍ନର ଡ୍ୟାରିଲ ମିଚେଲ ଓ ଡେଭନ୍ କନ୍ୱେ ଲଢ଼େଇକରି ୩ୟ ୱିକେଟ ପାଇଁ ୧୧ ଓଭରରେ ୮୨ ରନ୍ ଯୋଡ଼ିଥିଲେ। କନ୍ୱେ ୩୮ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୬ ରନ୍କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୨ ରନ୍କରି ବିଦାୟ ନେଇଥିଲେ। ପରେ ଡ୍ୟାରିଲ ମିଚେଲ ଓ ଜେମ୍ସ ନିସାମ୍ ସଂଘର୍ଷ ଜାରି ରଖିଥିଲେ। ଶେଷ ୪ ଓଭରରେ ନ୍ୟୁଜିଲାଣ୍ଡ ୫୭ ରନ୍ ଆବଶ୍ୟକ କରୁଥିବା ବେଳେ ୩ ଓଭରରେ ଏହା ହାସଲ କରି ନେଇଥିଲା। ନ୍ୟୁଜିଲାଣ୍ଡ ୧୭ଶ ଓଭରରେ ୨୩, ୧୮ଶ ଓଭରରେ ୧୪ ଓ ୧୯ଶ ଓଭରରେ ୨୦ ରନ୍ ନେଇ ଜିତିଥିଲା। ନିସାମ୍ ବିସ୍ଫୋରକ ବ୍ୟାଟିଂକରି ୧୦ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍ କରିଥିଲେ। ମିଚେଲ ୪୭ ବଲ୍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୭୨ ରନ୍କରି ଅପରାଜିତ ରହି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। କ୍ରିସ୍ ୱକ୍ସ ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିଥିଲା। ୫ ଓଭରରେ ଇଂଲଣ୍ଡ ଓପ୍ନିଂ ଯୋଡ଼ିରେ ୩୭ ରନ୍ କରିବା ପରେ ଜନି ବେୟାରଷ୍ଟୋ ୧୩ ରନ୍କରି ଆଉଟ ହୋଇଥିଲେ। ୮ ଓଭରରେ ସ୍କୋର୍ ୫୩ ରନ୍ ଥିବା ବେଳେ ଜୋସ୍ ବଟ୍ଲର ୨୪ ବଲ୍ରୁ ୪ଟି ଚୌକା ସହ ୨୯ ରନ୍କରି ଆଉଟ ହୋଇଥିଲେ। ଡାୱିଡ୍ ମଲାନ୍ ଓ ମୋଇନ୍ ଅଲୀ ଆରମ୍ଭରୁ ଜଗିରଖି ଖେଳିବା ପରେ ଆକ୍ରମଣ କରିଥିଲେ। ୩ୟ ୱିକେଟ ପାଇଁ ମଲାନ୍ ଓ ମୋଇନ୍ ୪୩ ବଲ୍ରୁ ୬୩ ରନ୍ ଯୋଡ଼ିଥିଲେ। ମଲାନ୍ ୩୦ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୧ ରନ୍ କରିଥିଲେ। ଲିଆମ୍ ଲିଭିଙ୍ଗ୍େଷ୍ଟାନ୍ଙ୍କ ସହ ମୋଇନ୍ ୪ ଓଭରରୁ ୪୦ ରନ୍ ଯୋଡ଼ିଥିଲେ। ଲିଭିଙ୍ଗ୍ଷ୍ଟୋନ୍ ୧୦ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍ କରିଥିଲେ। ମୋଇନ୍ ଅଲୀ ୩୭ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍କରି ଅପରାଜିତ ରହିଥିଲେ। ଟିମ୍ ସାଉଦି ୪ ଓଭରରୁ ମାତ୍ର ୨୪ ରନ୍ଦେଇ ଗୋଟିଏ ୱିକେଟ ନେଇଥିଲେ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ