
ସମ୍ବଲପୁର : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ଗତ ଗୁରୁବାର ଅନଲାଇନ୍ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ମଧ୍ୟପ୍ରଦେଶ ସରକାରଙ୍କ ଆଡମିସନ୍ ଓ ଫିଜ୍ ରେଗୁଲେଟୋରୀ କମିଶନର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର କନହରେ ଯୋଗଦେଇଥିଲେ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସ ମହାପାତ୍ର ପ୍ରତିଷ୍ଠା ଦିବସ ଉତ୍ସବରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଗତି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହିତ ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟ ଦୂରଦୃଷ୍ଟିର ସୂଚନା ଦେଇଥିଲେ। ନିକଟ ଭବିଷ୍ୟତରେ ୨୫ଟି ଧନ୍ଦା ମୂଳକ ଓ କୋ÷ଶଳ ଭିତ୍ତିକ ପାଠ୍ୟକ୍ରମ ଯଥା; ଡାଟା ସାଇନ୍ସ, ସାଇବର ସିକ୍ୟୁରିଟି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ଗ୍ରାଫିକ୍ ଡିଜାଇନ୍, ଟୋଟାଲ୍ କ୍ୱାଲିଟୀ ମ୍ୟାନେଜ୍ମେଣ୍ଟ ଇତ୍ୟାଦି ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହି ପାଠ୍ୟକ୍ରମଗୁଡିକ ଓଡ଼ିଶାର ଯେକୋ÷ଣସି ଶିକ୍ଷାନୁଷ୍ଠାନରେ ପଢୁଥିବା ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାର୍ଥୀମାନଙ୍କ ରୋଜଗାରକ୍ଷମତା ବଢାଇବା ପାଇଁ ଉଦ୍ଦିଷ୍ଟ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ମୁଖ୍ୟଅତିଥି ଭାବରେ ଯୋଗଦେଇଥବାରୁ ଆନନ୍ଦିତ ବୋଲି କହିଥିଲେ । ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର କୁଳପତି, ସମସ୍ତ କର୍ମକର୍ତ୍ତା, ଶିକ୍ଷାର୍ଥୀମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ। ଏତଦ୍ବ୍ୟବତୀତ ସ୍ୱଳ୍ପ ସମୟ ମଧ୍ୟରେ ବିଶ୍ୱବିଦ୍ୟାଳୟ ଯେଉଁ ସଫଳତା ହାସଲ କରିଛି ତାହାକୁ ଜାରି ରଖିବା ସହିତ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟଟି କିପରି ଆହୁରି ଉନ୍ନତିର ଶିଖର ଛୁଇଁବ ସେଥିପାଇଁ ସେ ଆବଶ୍ୟକୀୟ ସମସ୍ତ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ବୋଲି ମଧ୍ୟ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟର ସାମାଜିକ କର୍ତ୍ତବ୍ୟ ଯଥା; ଜେଲ୍ ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ଉଚ୍ଚଶିକ୍ଷା ପ୍ରଦାନ ନିମିତ୍ତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ବୈପ୍ଳବିକ ଚିନ୍ତାଧାରାକୁ ସେ ଉଚ୍ଚପ୍ରଶଂସା କରିଥିଲେ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ବିଶ୍ୱବିଦ୍ୟାଳୟର ପ୍ରୋଫାଇଲ ଏବଂ ତିନୋଟି ପାଠ୍ୟକ୍ରମ ଯଥା; ଡିପ୍ଲୋମା ଇନ୍ ଟୁରିଜିମ୍ ଷ୍ଟଡିଜ୍, ସାର୍ଟିଫିକେଟ୍ ଇନ୍ ଟୁରିଜିମ୍ ମ୍ୟାନେଜ୍ମେଣ୍ଟ୍, ସାର୍ଟିଫିକେଟ୍ ଇନ୍ ସ୍ପେଶାଲ୍ ଟୁରିଜିମ୍ ସର୍ଭିସେସ୍ ଇତ୍ୟାଦିର ଉନ୍ମୋଚନ କରିଥିଲେ। କାର୍ଯ୍ୟବ୍ୟସ୍ତତା ଯୋଗୁ ସେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ ମଧ୍ୟ ନିକଟ ଭବିଷ୍ୟତରେ ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟକୁ ପରିଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ୭ମ ପ୍ରତିଷ୍ଠା ଦିବସରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଷ୍ଠା ଦିବସର ଦୀକ୍ଷାନ୍ତ ଅଭିଭାଷଣ ଦେଇଥିଲେ ମଧ୍ୟପ୍ରଦେଶ ସରକାରଙ୍କ ଆଡମିସନ୍ ଓ ଫିଜ୍ ରେଗୁଲେଟୋରୀ କମିଶନର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର କନହରେ । ସେ ତାଙ୍କ ଅଭିଭାଷଣରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପ୍ରଫେସର କନହରେ ପ୍ରଥମେ ପାରମ୍ପରିକ ଶିକ୍ଷା ଓ ମୁକ୍ତ ଦୂର ଶିକ୍ଷା ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ ବୋଲି ଦର୍ଶାଇଥିଲେ। ଏହାସହିତ ଜାତୀୟ ନୂତନ ଶିକ୍ଷା ନୀତିରେ ମୁକ୍ତ ଶିକ୍ଷାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ଜାତୀୟ ନୂତନ ଶିକ୍ଷା ନୀତି ଆଧାରରେ ଶିକ୍ଷା ସହିତ ବାଣିଜ୍ୟ-ବ୍ୟବସାୟ, ନୀତିଶିକ୍ଷା, ସଂସ୍କୃତି, କ୍ରୀଡା, ଚାରିତ୍ରିକ ଗଠନ ଭଳି ଶିକ୍ଷା ବିଷୟ ରହିଲେ ଶିକ୍ଷାର୍ଥୀମାନଙ୍କର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ପ୍ରଫେସର ରବୀନ୍ଦ୍ର କନହରେ ମତ ଦେଇଥିଲେ। ଓଡ଼ିଶାର ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁୁଡିକରେ ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମ ପ୍ରଚଳନ କଲେ ଓଡିଏଲ୍ ଶିକ୍ଷାର ମୂଳ ଉଦ୍ଦେଶ୍ୟ ହାସଲ ହୋଇପାରିବ। ଓଡ଼ିଶାରେ ପ୍ରାକୃତିକ ଓ ଉପକୂଳ ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ଥିବାରୁ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ବହୁ ବ୍ୟବସାୟ ଯଥା; ସମ୍ବଲପୁରୀ ଶାଢୀ, ରେଶମ କୀଟ, ଚିଲିକାର ମାଛ ଓ ଚିଙ୍ଗୁଡିଚାଷ ଇତ୍ୟାଦି ଜଳଜୀବଙ୍କ ଖାଦ୍ୟ ପ୍ରକ୍ରିୟାକରଣକୁ ପାଠ୍ୟକ୍ରମରେ ସାମିଲ୍ କଲେ ଶିକ୍ଷାର୍ଥୀମାନେ ସ୍ୱାବଲମ୍ବୀ ହୋଇପାରିବେ। ଜଣେ ଶିକ୍ଷାର୍ଥୀ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍ ଇନ୍ ସ୍ପେଶାଲ୍ ଟୁରିଜିମ୍ ସର୍ଭିସେସ୍ କୋର୍ସ କରି ଟୁରିଷ୍ଟ୍ ଗାଇଡ୍ ଭାବରେ ନିଜର ପରିଚୟ ସୃଷ୍ଟି କରିବା ସହିତ ରୋଜଗାରକ୍ଷମ ହୋଇପାରିବେ। ଏହାସହିତ ଓଡ଼ିଶା ଉତ୍କର୍ଷ କଳାର ଦେଶ ହୋଇଥିବାରୁ କଳା, ସ୍ଥାପତ୍ୟରେ ଅଧିକରୁ ଅଧିକ ପାଠ୍ୟକ୍ରମ ଯେପରି- କାରୁକଳା, ଚାରୁକଳା, ବାନ୍ଧକଳା ଭଳି ପାଠ୍ୟକ୍ରମ ସାମିଲ୍ ହୋଇପାରିବ । ସେହିପରି ଓଡ଼ିଶାର ନୃତ୍ୟଗୀତ ବିଶ୍ୱିବିଦିତ ହୋଇଥିବାରୁ ଓଡ଼ିଶୀ, ଛଉ, ସମ୍ବଲପୁରୀ ଭଳି ଶାସ୍ତ୍ରୀୟ ତଥା ଲୋକନୃତ୍ୟକୁ ନେଇ ସାର୍ଟିଫିକେଟ୍ କୋର୍ସ କରାଯାଇପାରିବ।
ଏହି ଅବସରରେ ଶିକ୍ଷାର୍ଥୀ ପ୍ରଶିକ୍ଷଣ, ଫାକଲଟି ଏକ୍ଚେଞ୍ଜ, କ୍ରେଡିଟ୍ ଟ୍ରାନ୍ସଫର ଭଳି ବହୁମୁଖୀ ଚିନ୍ତାଧାରାକୁ ସାଫଲ୍ୟ ମଣ୍ଡିତ କରିବା ଲକ୍ଷ୍ୟରେ ଭିସୁଟ୍ ଏବଂ ଓସୁ ଏହି ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷର କରାଯାଇଥିଲା । ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ, ବୁର୍ଲାର କୁଳପତି ପ୍ରଫେସର ବଂଶୀଧର ମାଝୀ ଏଭଳି ସହବନ୍ଧନ ଦ୍ୱାରା ଉଭୟ ବିଶ୍ୱବିଦ୍ୟାଳୟର ଉନ୍ନତି ହେବା ସହିତ ସାମାଜିକ ଉନ୍ନତି ମଧ୍ୟ ସମ୍ଭବ ବୋଲି କହିଥିଲେ।
ଏହି ଉତ୍ସବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ମାନସ ରଞ୍ଜନ ପୂଜାରୀ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ଷଢଙ୍ଗୀ ଏହି ସଭାଟି ସଫଳତାର ସହିତ ସମାପ୍ତ ହୋଇଥିବାରୁ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ