September 26, 2023

Satya News

odia news channel

ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ : ହାଇକୋର୍ଟ

 

କଟକ : ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀ ବିବାଦ ମାମଲାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ। ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ ଓ ଏଭଳି ମୂର୍ତ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ହାଇକୋର୍ଟ ମତ ରଖିଛନ୍ତି। ପୁଲିସ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହିତ ଅଗ୍ରୀମ ଦେଇଥିବା କ୍ଲବକୁ ଚିରାଚରିତ ମୂର୍ତ୍ତି ନିର୍ମାଣ କରି ଯୋଗାଇ ଦେବାକୁ ଶିଳ୍ପୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦେଶ ଦେଇ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହାସହ ପୁରୀଘାଟ ଥାନା ଅଧିକାରୀ ମୂର୍ତ୍ତି କାରୀଗରଙ୍କୁ ନେଇ ଆଲୋଚନା କରି ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ; ସେନେଇ ସେମାନଙ୍କୁ ଉପଦେଶ ଦେବେ ବୋଲି କୋର୍ଟ କହିଛନ୍ତି। ବିକୃତ ମୂର୍ତ୍ତି ନିର୍ମାଣକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ତାଗିଦ କରିବା ପରେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଶିଳ୍ପୀ କୁମ୍ଭାରସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି। ପୁଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଦେଇଥିବା ମାମଲାରେ ଦର୍ଶାଇ ଥିଲେ। ଏପରିକି କିଛି କାରିଗରଙ୍କୁ ଥାନାରେ କିଛି ଘଣ୍ଟା ଅଟକ ରଖାଯାଇ କାରିଗରଙ୍କୁ ଧମକ ଦିଆଯାଇଥିବା ନେଇ ମାମଲାରେ ଉଲେଖ କରିଥିଲେ। ବିକୃତ ମୂର୍ତ୍ତି ଆଉ ପରବର୍ତ୍ତୀ ସମୟରେ କରିବେ ନାହିଁ ବୋଲି ଏକ ଅଣ୍ଡର ଟେକିଂ ଦେଇ କାରିଗରମାନଙ୍କୁ ଛାଡିଛି ପୁଲିସ। ତେବେ ପୁଲିସ ଭୟରେ କାରିଗରମାନେ ସାଧା କାଗଜରେ ଦସ୍ତଖତ ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏହି ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦେଶକ, କଟକ ଡିସିପି, ପୁରୀଘାଟ ଥାନା ଅଧିକାରୀ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Spread the love