
ଲାଓସାନେ: ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ ତୃତୀୟ ସଂସ୍କରଣରେ ଭାରତକୁ ଖେଳିବାର ସୁଯୋଗ ମିଳିଛି। ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନ ଖେଳିବାର ସୁଯୋଗ ପାଇଛନ୍ତି। ଏଫ୍ଆଇଏଚ୍ ମହିଳା ହକି ପ୍ରୋ -ଲିଗ୍ର ତୃତୀୟ ସଂସ୍କରଣ ଚଳିତ ଅକ୍ଟୋବର ୧୩ରୁ ଅଲିମ୍ପିକ୍ସ ତଥା ବିଶ୍ବ ଚାମ୍ପିୟନ ନେଦରଲାଣ୍ଡ୍ସ ଓ ବେଲଜିୟମ ମ୍ୟାଚରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯିବା ପରେ ବଦଳ ଦଳ ଭାବେ ଭାରତ ଓ ସ୍ପେନକୁ ସାମିଲ କରାଯାଇଛି ବୋଲି ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି। ଗତ ସପ୍ତାହରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ କରୋନା ମହାମାରୀ ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ ଓ ଏଫ୍ଆଇଏଚ୍ ହକି ଇନଡୋର ବିଶ୍ବକପରୁ ଓହରି ଯାଇଥିଲେ।
ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କାର୍ଯ୍ୟସୂଚୀ ଭେନ୍ୟୁ ଓ ତାରିଖ ଅନୁଯାୟୀ ଭାରତ ଓ ସ୍ପେନ ଖେଳିବ। ଏଥିପାଇଁ ଖେଳାଳି ମନୋନୟନକୁ ତୁରନ୍ତ କରିବା ନେଇ ଏଫଆଇଏଚ୍ ପକ୍ଷରୁ ଦୁଇ ଦେଶ ହକି ମହାସଂଘକୁ ନିର୍ଦେଶ ଦିଆଯାଇଛି। ଉଭୟ ଭାରତ ଓ ସ୍ପେନ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିଲେ। ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଥେରି ୱେଲି କହିଛନ୍ତି ଯେ, ସ୍ପେନ ଓ ଭାରତକୁ ଏଫ୍ଆଇଏଚ୍ ମହିଳା ହକି ପ୍ରୋ-ଲିଗ୍ ପାଇଁ ଆମେ ସ୍ବାଗତ କରୁଛୁ। ଉଭୟ ଦଳ ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ହକି ଖେଳିଥିଲେ। ଏଥିପାଇଁ ହକି ଇଣ୍ଡିଆ ଓ ରୟାଲ ସ୍ପେନ ହକିକୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ ବୋଲି ୱେଲି କହିଛନ୍ତି। ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଡ୍ରୋ ନିଗୋମବାମ୍ କହିଛନ୍ତି ଯେ, ଏଫ୍ଆଇଏଚ୍ ମହିଳା ପ୍ରୋ-ଲିଗ୍ ହକିରେ ଦେଶ ଅଂଶଗ୍ରହଣ କରିବା ବହୁତ ବଡ ଉପଲବ୍ଧି ।ବିଶ୍ବସ୍ତରୀୟ ଦଳ ଗୁଡ଼ିକ ସହିତ ଖେଳିବାର ସୁଯୋଗ ମିଳିବ। ୨୦୨୨ ଏସୀୟ କ୍ରୀଡ଼ା ପାଇଁ ଉକ୍ତ ପ୍ରତିଯୋଗିତା ବେଶ ସହାୟକ ହେବ । ଏସୀୟ କ୍ରୀଡ଼ାରୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ସୁଯୋଗ ରହିଛି। ଏଥିପାଇଁ ଏଫ୍ଆଇଏଚ୍ ମହିଳା ପ୍ରୋ-ଲିଗ୍ ହକି ପ୍ରସ୍ତୁତିରେ ସହାୟକ ହେବ ବୋଲି ଜ୍ଞାନେନ୍ଦ୍ରା କହିଛନ୍ତି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ