September 21, 2023

Satya News

odia news channel

ମହିଳା ହକି ବିଶ୍ବକପ, ଭାରତ-ଇଂଲଣ୍ଡ ମୁକାବିଲା ଆଜି

 

ଆମଷ୍ଟିଲଭିନ୍‌: ନେଦରଲଣ୍ଡ୍‌ସ ଓ ସ୍ପେନରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ୧୫ତମ ସଂସ୍କରଣରେ ଭାରତ ରବିବାର ପ୍ରଥମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରୁପ-ବି ରେ ସ୍ଥାନ ପାଇଥିବା ଭାରତ ଆମଷ୍ଟିଲଭିନରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଟୋକିଓ ଅଲିମ୍ପିକ୍‌ସରେ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଭାରତ ଗ୍ରେଟ ବ୍ରିଟେନ ନିକଟରୁ ପରାଜିତ ହେବା ସହ ଐତିହାସିକ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା। ଉକ୍ତ ପରାଜୟର ପ୍ରତିଶୋଧ ନେବା ନେଇ ଭାରତ ନିକଟରେ ବଡ ସୁଯୋଗ ରହିଛି।

ଟୋକିଓ ଅଲିମ୍ପିକ୍‌ସ ପରେ ଭାରତ ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ମହିଳା ହକି ବିଶ୍ବକପରେ ଭାରତ ୧୯୭୪ ପ୍ରଥମ ସଂସ୍କରଣରେ ୪ର୍ଥ ସ୍ଥାନ ଏପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିକଟରେ ପ୍ରଥମ ଥର ପାଇଁ ବିଶ୍ବକପ ପୋଡ଼ିୟମ ଦଖଲର ସୁଯୋଗ ରହିଛି। ବର୍ତ୍ତମାନ ଭାରତ ବିଶ୍ବ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଛି। ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗରେ ଦଳ ବିଶ୍ବର ବୃହତ ଦଳକୁ ପରାଜୟ କରିବାରେ ସଫଳ ହୋଇଥିଲା। ରାଣୀ ରାମପାଲ ଦଳରେ ନଥିବାବେଳେ ଗୋଲରକ୍ଷକ ସବିତା ପୁନିଆ ମଧ୍ୟ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଭଲ ନେତୃତ୍ବ ତୁଲାଇଥିଲେ। ଦଳରେ ଦୀପ୍‌ଗ୍ରେସ ଏକ୍କା, ବନ୍ଦନା​‌ କଟାରିୟା , ସାଲିମା ଟେଟେ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ବିଚୁ ଦେବୀ କାରିବାମ, ଗୁରୁଜିତ୍‌ କୌର, ଉଦିତା, ସୁଶିଳା ଚାନୁ, ନେହା​‌ ଗୋଏଲ, ଶର୍ମିଳା ଦେବୀ, ନବଜୋତ କୌର, ସୋନିକା, ଜ୍ୟୋତି ,ନିଶା ଓ ମୋନିକାଙ୍କ ଭଳି ଖେଳାଳି ରହିଛନ୍ତି। ଷ୍ଟ୍ରାଇକର ବନ୍ଦନା କଟାରିୟା କହିଛନ୍ତି ଯେ, ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ପ୍ରତି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ବନ୍ଦନା କହିଛନ୍ତି।

Spread the love