April 16, 2024

Satya News

odia news channel

ମୋଦି, ତୁମ ବନ୍ଧୁକର ଗୁଳି ଶେଷ ହୋଇଯିବ: ଓୱାଇସି

ସିଏଏ: କେବଳ ମୁସଲିମ ନୁହନ୍ତି, ସବୁ ଭାରତୀୟଙ୍କ କଥା
ହାଇଦ୍ରାବାଦ: ସମ୍ମାନ ପାଇଁ ଭାରତୀୟ ମୁସଲିମଙ୍କ ଲଢ଼େଇ ଆଜିର ନୁହେଁ, ବରଂ ୭୦ ବର୍ଷ ଧରି ଏହା ଜାରି ରହିଛି । କାରଣ ସେମାନଙ୍କୁ ସନେ୍ଦହ କରାଯାଉଛି, ଯାହାକି ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଏକ ଅପମାନ ବୋଲି କ୍ଷୋଭବ୍ୟକ୍ତ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱାଇସି । ହାଇଦ୍ରାବାଦସ୍ଥିତ ଦଳୀୟ ମୁଖ୍ୟାଳୟ ଦାରୁସଲାମରେ ବିଭିନ୍ନ ମୁସଲିମ ସଙ୍ଗଠନକୁ ନେଇ ୟୁନାଇଟେଡ୍ ମୁସଲିମ ଆକ୍ସନ କମିଟି ପକ୍ଷରୁ ଆୟୋଜିତ ଏକ ସଭାରେ ସ୍ଥାନୀୟ ଏମପି ଓୱାଇସି କହିଛନ୍ତି, ନୂଆ ନାଗରିକତା ଆଇନ ବିରୋଧରେ ଲଢ଼େଇ କେବଳ ମୁସଲମାନମାନଙ୍କ ପ୍ରସଙ୍ଗ ନୁହେଁ, ବରଂ ଏହା ସମସ୍ତ ଭାରତୀୟଙ୍କ ଚିନ୍ତାର ବିଷୟ । ଏହି ବିବାଦୀୟ ଆଇନ ବିରୋଧରେ ଏକ ନିରନ୍ତର ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମାଲୋଚକ ଭାବେ ପରିଚିତ ତଥା ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଏହି ନେତା କୁହନ୍ତି, ମୁଁ କାହିିଁକି ଧାଡ଼ିରେ ଛିଡ଼ା ହୋଇ ନିଜକୁ ଜଣେ ଭାରତୀୟ ବୋଲି ପ୍ରମାଣ ଦେଉଥିବି? ଏହି ଭୂଇଁରେ ମୋର ଜନ୍ମ । ମୁଁ ଭାରତର ଜଣେ ନାଗରିକ । ଦେଶରେ ସିଏଏ କାର୍ଯ୍ୟକାରୀ ହେଲେ କେବଳ ମୁସଲିମଙ୍କୁ ନୁହେଁ, ସମସ୍ତ ୧୦୦ କୋଟି ଭାରତୀୟଙ୍କୁ ସେମାନଙ୍କ ନାଗରିକତାର ପରିଚୟ ଦେବା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ । ଏପରିକି ମୋଦି ଭକ୍ତମାନେ ମଧ୍ୟ ସେମାନଙ୍କ ନାଗରିକତାକୁ ସ୍ପଷ୍ଟ କରିବାକୁ ଯାଇ ପ୍ରମାଣପତ୍ରର ଦସ୍ତାବିଜ ଧରି ଧାଡ଼ିରେ ଠିଆ ହେବେ ।
ବିଭାଜନ ବେଳେ ପାକିସ୍ତାନର ଜନକ ମହମ୍ମଦ ଅଲି ଜିନ୍ନାଙ୍କ ଦୁଇ-ରାଷ୍ଟ୍ର ସିଦ୍ଧାନ୍ତକୁ ଭାରତୀୟ ମୁସଲିମମାନେ ପ୍ରତ୍ୟାଖ୍ୟାନ କରି ଭାରତରେ ରହିବାକୁ ପସନ୍ଦ କରିଥିଲେ । ବିଜେପି ବାଲା ଅନେକ ମୁସଲିମ ରାଷ୍ଟ୍ରର କଥା କହୁଛନ୍ତି, ହେଲେ ସେଥିରେ ମୋର କିଛି ଯାଏଆସେ ନାହିିଁ । ସେମାନେ ସେହି ଦେଶକୁ ଯାଆନ୍ତୁ । ମୁଁ ମୋ ଦେଶକୁ ଭଲ ପାଏ । ତେଣୁ କେବଳ ଭାରତ କଥା ଚିନ୍ତା କରେ । ତୁମେ ଯଦି ଗୁଳି ଚଳାଇବ, ଚଳାଅ । ତୁମ ବନ୍ଧୁକର ଗୁଳି ଶେଷ ହୋଇଯିବ । କିନ୍ତୁ ଭାରତ ପାଇଁ ମୋ ଭଲ ପାଇବା କେବେ ସରିବ ନାହିିଁ । ଆମ ଉଦ୍ୟମ ଦେଶକୁ ଆଘାତ ଦେବା ନୁହେଁ, ବରଂ ରକ୍ଷା କରିବା ବୋଲି ଓୱାଇସି ସ୍ପଷ୍ଟ କରିଛନ୍ତି ।
ଆମ ଅଭିଯାନ ହେଉଛି ସମ୍ବିଧାନକୁ ରକ୍ଷା କରିବା । ଯେଉଁ ଭାରତୀୟମାନେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଓ ନାଗରିତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଛନ୍ତି, ସେମାନେ ରବିବାରଠାରୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ । ଏହା ନିଜ ଦେଶକୁ ଭଲ ପାଉଥିବା ଲୋକଙ୍କ ଘର ବୋଲି ଫାସୀବାଦୀ ତତ୍ତ୍ୱ ବିରୋଧରେ ଏକ ସନେ୍ଦଶ ଦେବ । ଓୱାଇସି ଏହି ଅନୁରୋଧ କରିବା ପରେ ସମ୍ବିଧାନର ମୁଖବନ୍ଧକୁ ପଢ଼ି ଉପସ୍ଥିତ ଲୋକଙ୍କୁ ଦୋହରାଇବାକୁ କହିଥିଲେ । ହଜାର ହଜାର ଜନତା ସାମିଲ ହୋଇଥିବା ଏହି ସଭା ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହୋଇ ଓୱାଇସିଙ୍କ ଅଭିଭାଷଣ ସହ ମଧ୍ୟରାତ୍ରିରେ ଶେଷ ହୋଇଥିଲା ।
Spread the love