April 20, 2024

Satya News

odia news channel

ଡିଇଓ, ଡିପିସି ଓ ବିଇଓଙ୍କ ତାଗିଦ୍‌: ନକଲି ଶିକ୍ଷକଙ୍କ ତଥ୍ୟ ନ ଦେଲେ ଦରମା ବନ୍ଦ

 

ଭୁବନେଶ୍ବର : ଥରେ କି ଦୁଇ ଥର ନୁହେଁ। ୪ ଥର ଚିଠି ଲେଖାଯିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହେଉନି। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ମାନେ ବି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଚିଠିକୁ ଖାତିର କରୁନାହାନ୍ତି। ଅଗଷ୍ଟ ୩୧ ତଥା ମଙ୍ଗଳବାର ସୁଦ୍ଧା ଡିଇଓ, ଡିପିସି ଓ ବିଇଓମାନେ ଏଦିଗରେ ପଦ‌କ୍ଷେପ ନ ନେଲେ, ସେମାନଙ୍କ ଦରମା ବନ୍ଦ କରି ଦିଆଯିବ। ବାରମ୍ବାର ଚିଠି ପରେ ବି ନକଲି ଶିକ୍ଷକଙ୍କ ବାବଦରେ ଅଧିକାରୀମାନେ ତଥ୍ୟ ଦାଖଲ କରୁ ନ ଥିବାରୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏଭଳି ଢଙ୍ଗରେ ତାଗିଦ୍‌ କରାଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅଭିଯୋଗ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୯ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସାରିଲାଣି। ନକଲି ସାର୍ଟିଫିକେଟ୍‌ ଦେଇ ଚାକିରୀ ପାଇଥିବା ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଜଣେ ଶିକ୍ଷକ ଗିରଫ ହୋଇଥିବା ବେଳେ ୪ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି। ୧୧ ଜଣଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି ଏବଂ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଦୁଇ ଜଣ ଶିକ୍ଷକ ଜାଲ୍‌ ଓଟିଇଟି ସାର୍ଟିଫିକେଟ୍‌ ଦେଇଥିବା ମଧ୍ୟ ନଜରକୁ ଆସିଛି।

ଅଭିଯୋଗ ଆସିଥିବା ୮୯ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍‌, ମାର୍କସିଟ୍‌, ଟ୍ରେନିଂ ସାର୍ଟିଫିକେଟ୍‌, ମାଇଗ୍ରେସନ, ପରୀକ୍ଷା ଫଳ ପ୍ରକାଶନ ତାରିଖ, ଜାତି ପ୍ରମାଣପତ୍ର, ସର୍ଭିସ୍‌ ରେକର୍ଡ ଯାଞ୍ଚ କରିବାକୁ ୨୦୨୦ ଡିସେମ୍ବର ୧, ଅକ୍ଟୋବର ୨୯, ୨୦୨୧ ଜାନୁଆରି ୨୧, ଅଗଷ୍ଟ ୧୯ରେ ନିର୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଥିଲା। ତା’ପରେ ବି ତଥ୍ୟ ଦାଖଲ କରାଯାଇ ନାହିଁ। ଯେଉଁଥିପାଇଁ ୨୩ ଜିଲ୍ଲା ଯଥା ଯାଜପୁର, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ଖୋର୍ଧା, ଢେଙ୍କାନାଳ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ା, ନୟାଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ, ଗଜପତି, ଭବାନୀପାଟଣା, କେନ୍ଦୁଝର, କଳାହାଣ୍ଡି ଡିଓଇ ଓ ଡିପିସି ଏବଂ ୬୯ ଜଣ ବିଇଓଙ୍କୁ ଗତ ୨୮ ତାରିଖରେ ପୁଣିଥରେ ଚିଠି ପଠାଯାଇଛି। ନକଲି ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ମଧ୍ୟ ଠିକ୍‌ ସମୟରେ ତଥ୍ୟ ନ ମିଳିବାରୁ ନିର୍ଦେଶାଳୟକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପଦକ୍ଷେପ ନ ହେଲେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଦରମା ବନ୍ଦ କରି ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Spread the love