April 19, 2024

Satya News

odia news channel

ନିଜ ନିୟମ ନିଜେ ମାନୁନାହାନ୍ତି: ବିନା ପ୍ଲାନ୍ ଅନୁମୋଦ‌ନରେ ତିଆରି ସରିଲାଣି ବିଏମ୍‌ସି ମୁଖ୍ୟାଳୟ

 

ଭୁବନେଶ୍ବର : ରାଜଧାନୀରେ ଯଦି କେହି ବିନା ପ୍ଲାନ୍ ଅନୁମୋଦରେ ଘର/ଆପାର୍ଟମେଣ୍ଟ କରୁଛି; ତାକୁ ବିଏମ୍‌ସି/ବିଡିଏ ଭାଙ୍ଗି ଦେବାକୁ ନଚେତ୍ ସିଲ୍‌ କରିବାକୁ ନୋଟିସ୍ କରୁଛନ୍ତି। ଓଡିଏ କୋର୍ଟରେ କେସ୍‌ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। କିନ୍ତୁ ବିଏମ୍‌ସି ନିଜର ୧୧ତାଲା ବିଶିଷ୍ଟ ମୁଖ୍ୟାଳୟ ନିର୍ମାଣ ପ୍ରାୟ ଶେଷ କରିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ପ୍ଲାନ୍ ଅନୁମୋଦନ ହୋଇନି। ବିନା ପ୍ଲାନ୍ ଅନୁମୋଦନରେ ଜନପଥ କଡ଼ରେ ୧୧ତାଲା କୋଠା ଛିଡ଼ା କରିଥିବା ବିଏମ୍‌ସି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ କିପରି ନିଜ ନିୟମକୁ ମୋଡ଼ିମକଚି ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଲାଣି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୭୩କୋଟି ଟଙ୍କା ବ୍ୟୟରେ ଜି+୧୧ ମହଲା ବିଶିଷ୍ଟ କୋଠା ନିର୍ମାଣ ହେଉଛି। ଏଠାରେ ବିଏମ୍‌ସିର ମୁଖ୍ୟାଳୟ ଏବଂ ଭୁବନେଶ୍ବର ଅପରେସନ୍ ସେଣ୍ଟର ହେବ। ଏଥିରୁ ୬ମହଲା ବିଭିନ୍ନ ଘରୋଇ ସଂସ୍ଥାକୁ ଭଡ଼ାରେ ଦିଆଯିବ। ପୂରା ବ୍ୟବସାୟିକ ଉଦ୍ଦେଶ୍ୟରେ ଏହି କୋଠାକୁ ବିଏମ୍‌ସି ବ୍ୟବହାର କରିବାକୁ ଥିବା ବେଳେ କିପରି ବିନା ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ କରୁଛନ୍ତି ତାହା ଚକିତ କରିଛି।

ଏହି ମୁଖ୍ୟାଳୟର ଡିଜାଇନ୍ ପ୍ରସ୍ତୁତିରୁ ଆରମ୍ଭ କରି ଶିଳାନ୍ୟାସ ଓ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବା ଭିତରେ ୪ଜଣ ବିଏମ୍‌ସି କମିସନରଙ୍କର ବଦଳି ହେଲାଣି। କିନ୍ତୁ କାହା ମୁଣ୍ଡରେ କିପରି ଏହି କୋଠାର ପ୍ଲାନ୍ ଆବେଦନ ପାଇଁ ବୁଦ୍ଧି ଜୁଟିଲାନି? ଯେଉଁ ବାବୁମାନେ ଅନ୍ୟର ଘର ଭାଙ୍ଗିବାକୁ, ସିଲ୍‌ କରିବାକୁ ନିଷ୍ପତ୍ତି ନେଉଥିଲେ ସେମାନେ କିପରି ଏହି କୋଠା ପାଇଁ ପ୍ଲାନ୍ ଆବେଦନ କଲେନାହିଁ? ବିଏମ୍‌ସି ଓ ବିଡିଏର ପ୍ଲାନିଂ ବିଭାଗ ଅନ୍ୟ ମାନଙ୍କ କୋଠାର ପ୍ଲାନ୍‌ ଉପରେ ହଜାରେ କେଁ ବାହାର କରୁଥିବା ବେଳେ ଏହି କୋଠାର ପ୍ଲାନ୍ ଆବେଦନ ପାଇଁ କାହିଁକି ପ୍ରସ୍ତାବ ଦେଲେନି? ବିଡିଏ ଓ ବିଏମ୍‌ସିର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଯେକୌଣସି ବେଆଇନ୍ କୋଠାକୁ ସିଲ୍‌ କରିବାକୁ କିମ୍ବା ଭାଙ୍ଗିବାକୁ ପଦକ୍ଷେପ ନେଇପାରିବ। ହେଲେ ଆଜି ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ନଜରରେ କ’ଣ ଏହି କୋଠା ପଡ଼ିନି?

କେବଳ ଯେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ କରିନାହାନ୍ତି ତାହା ନୁହେଁ; ଏହି ବିଶାଳ ଅଟ୍ଟାଳିକାର ଅଗ୍ନି ନିରାପତ୍ତା ପରାମର୍ଶ ବି ଆଣିନାହାନ୍ତି। ବିନା ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ କରୁଥିବାରୁ ବିଏମ୍‌ସି କି ବିଏସ୍‌ସିଏଲ୍‌ ଏ ନେଇ ଅଗ୍ନିଶମ ବିଭାଗର ପରାମର୍ଶ ଲୋଡ଼ିନାହାନ୍ତି। ଓଡ଼ିଶା ଫାୟାର ପ୍ରିଭେନସନ୍ ଏବଂ ଫାୟାର ସେଫ୍‌ଟି ରୁଲ୍‌ ଅନୁଯାୟୀ,୧୫ମିଟରରୁ ଉଚ୍ଚା କୋଠା ପାଇଁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଦରକାର। ଏଥିପାଇଁ ନିର୍ମାଣ କାମ ଆରମ୍ଭ ହେବା ପୂର୍ବରୁ ଅଗ୍ନିଶମ ବିଭାଗରୁ ପରାମର୍ଶ ଆଣିବାକୁ ହେବ। ପ୍ଲାନ୍‌ରେ ତ୍ରୁଟି ଥିଲେ ଅଗ୍ନିଶମ ବିଭାଗ ଏଥିରେ ସଂଶୋଧନ ଆଣିଥାନ୍ତା। ହେଲେ ନିର୍ମାଣ ସରିବା ପରେ ଯେନେତେନ ଉପାୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ହାସଲ କରିବା ଚକ୍କରରେ ଥିବା କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗର ନିୟମକୁ ବି ମୋଡ଼ି ଦେଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ମୁଖ୍ୟାଳୟର ପ୍ଲାନ୍ ଅନୁମୋଦନ ପାଇଁ ଏପ୍ରିଲ ମାସରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର କର୍ମଚାରୀ ବିଏମ୍‌ସି ଅଫିସ୍‌କୁ ଯାଇ ଫର୍ମ ଆଣିଥିଲେ। କିଛି ଦିନ ତଳେ ପ୍ଲାନ୍ ଅନୁମୋଦନ ପାଇଁ ଆବେଦନ କରିଛନ୍ତି। ଏବେ ବିଏମ୍‌ସିର ପ୍ଲାନିଂ ସେକ୍ସନ ଏହାର ସ୍କ୍ରୁଟିନି କରୁଥିବାରୁ ପ୍ଲାନ୍ ଅନୁମୋଦନ କରିଦେବ। ନିୟମ ଅନୁଯାୟୀ, ନିର୍ମାଣାଧୀନ କୋଠାକୁ ପ୍ଲାନ୍ ମିଳିବା କଥା ନୁହେଁ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ବିନା ପ୍ରଶ୍ନରେ ପ୍ଲାନ୍ ଅନୁମୋଦନ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି।

ଏହି କୋଠାରେ ସେଟ୍‌ ବ୍ୟାକ୍‌ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇଛି। କୋଠାର ଉଚ୍ଚତା ଦୃଷ୍ଟିରୁ, ଏହାର ବ୍ୟବସାୟିକ ବ୍ୟବହାରକୁ ଦେଖିଲେ ଏଠାରେ ଅତି କମ୍‌ରେ ୯ମିଟର ବା ୩୦ଫୁଟର ସେଟ୍‌ ବ୍ୟାକ୍ ରହିବା କଥା। ହେଲେ ଏହାର ମୁଖ୍ୟ ଫାଟକ ଏବଂ ଡାହାଣ ପାର୍ଶ୍ବ ଫାଟକ ପାର୍ଶ୍ବରେ ଏହି ସେଟ୍‌ ବ୍ୟାକ୍ ଛଡ଼ାଯାଇନି। ଯେଉଁଭଳି କୋଠା ନିର୍ମାଣ ହୋଇଛି ସେହି ଡିଜାଇନ୍ ଓ ପ୍ଲାନ୍ ବିଏମ୍‌ସି ନିକଟରେ ଏବଂ ଅଗ୍ନିଶମ ବିଭାଗ ନିକଟରେ ପ୍ରଥମର ଦାଖଲ ହୋଇଥିଲେ ଏ କଥା ଉଠିଥାନ୍ତା।

ସୂଚନାଯୋଗ୍ୟ ଯେ କମିସନ‌େରଟ୍ ପୁଲିସର ମୁଖ୍ୟାଳୟ ବିନା ପ୍ଲାନ୍ ଅନୁମୋଦନରେ ନିର୍ମାଣ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଏହି କୋଠାର ପ୍ଲାନ୍ ଅନୁମୋଦନ ହୋଇପାରୁନି। କୃଷି ଭବନ କୋଠାର ପ୍ଲାନ୍ ଅନୁମୋଦନ ହୋଇନଥିବା ନେଇ ‘ସମ୍ବାଦ’‌ରେ ଖବର ପ୍ରକାଶ ପାଇବା ପରେ ତରବରିଆ ଭାବେ ଦୁଇ ଦିନରେ ଏହାର ପ୍ଲାନ୍ ଅନୁମୋଦନ କରାଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀ ଏହି କୋଠାକୁ ଉଦ୍‌ଘାଟନ କରିଥିଲେ।

Spread the love