April 25, 2024

Satya News

odia news channel

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

 

ଭୁବନେଶ୍ବର: ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଆଗାମୀ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ। ଠିକ୍ ସେହିପରି ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ ବୋଲି ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିସନ। ତେବେ ପୁରୀରେ ପୌର ନିର୍ବାଚନ ହେବ ନାହିଁ।  ଏଣେ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟି ମେୟର ନିର୍ବାଚନ ହେବ।

ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ। ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। କର୍ପୋରେଟର/କାଉନସିଲର ପ୍ରାର୍ଥୀଙ୍କ ପାଇଁ ଗୋଲାପି ରଙ୍ଗର ବାଲଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ବାଲଟ୍ ପେପର ବ୍ୟବହାର ହେବ। ଏତଦ୍ବ୍ୟତୀତ ଭୋଟରଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ୍ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ୍ ଷ୍ଟିକର ଲଗାଯିବ। ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମ୍ରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ। ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିବ। ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ। ସେଠାରେ କର୍ପୋରେଟର/କାଉନସିଲର ପଦବି ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।
ଏଥର ଇଭିଏମ୍ରେ ଭୋଟ୍ ହେଉଥିବାରୁ ସମସ୍ତ ଜିଲ୍ଲାରୁ କିଛିକିଛି କର୍ମଚାରୀଙ୍କୁ ତାଲିମ୍ ଦିଆଯାଇଛି। ସେମାନେ ବାକି କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ସବୁ ଜିଲ୍ଲାକୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ ପଠାସରିଛି। ରାଜ୍ୟ ନିର୍ବାଚନ କମିସନ ୱାର୍ଡ ପୁନର୍ଗଠନ, ବୁଥ୍ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଥିବାରୁ ଏବେ କେବଳ ଆନୁଷ୍ଠାନିକ ଭାବେ ନିର୍ବାଚନ ତାରିଖ ଘୋଷଣା ବାକି ଥିଲା।

Spread the love