March 28, 2024

Satya News

odia news channel

ରାଜଭବନରେ ବୀର ଯବାନଙ୍କୁ ସମ୍ବର୍ଦ୍ଧନା

 

ଭୁବନେଶ୍ୱର: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲକୁ ଶନିବାର ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ରାଜ୍ୟପାଳ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ବକ୍ତବ୍ୟରେ କହିଥିଲେ, ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ। ମା’ଙ୍କ ସେବାରେ ଜୀବନର ସାର୍ଥକତା, ଜୀବନର ପ୍ରତିଟି ରକ୍ତବିନ୍ଦୁ , ପ୍ରତିଟି କ୍ଷଣ, ଭାରତମାତାଙ୍କ ପାଇଁ ସମର୍ପିତ। ଏହି ଚିନ୍ତନ ଓ ଦର୍ଶନକୁ ଆମର ବୀର ସୈନିକମାନେ କାର୍ଯ୍ୟରେ ପରିଣତ କରନ୍ତି। ସେମାନଙ୍କ ତ୍ୟାଗ,ବଳିଦାନ ପାଇଁ ଆମେ ଶାନ୍ତି ଓ ସମୃଦ୍ଧିକୁ ଜୀବନରେ ହାସଲ କରିଅଛୁ। ଭାରତର ବୀର ଯବାନମାନେ ଚିର ନମସ୍ୟ ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଆମର ପରମ କର୍ତ୍ତବ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ୧୯୭୧ ମସିହାର ୧୫୪ ଜଣ ବୀର ଯୋଦ୍ଧାଙ୍କୁ ରାଜ୍ୟପାଳ ସ୍ମୃତିଫଳକ ଓ ଶାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ସେନା ତରଫରୁ ବ୍ରିଗେଡିୟର ପ୍ରଶାନ୍ତ ଚୌହାନ ସେନାମେଡାଲ ଛତିଶଗଡ ଏବଂ ଓଡିଶା ଅଞ୍ଚଳ ଲେଫ୍ଟନାଣ୍ଟ ଜେନେରାଲ ଏସ. ମୋହନ ଏବଂ ୧୨୦ ବାଟାଲିୟନର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Spread the love