April 19, 2024

Satya News

odia news channel

ଲିଙ୍ଗଗତ ସମାନତାରେ ଆଗରେ ଅଛି ଏହି ଦେଶ… ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲିଙ୍ଗଗତ ସମାନତାରେ ଆଗରେ ଅଛି ଏହି ଦେଶ…
ଜାଣନ୍ତୁ ଭାରତର ସ୍ଥାନ କେଉଁଠି
ବିଶ୍ୱରୁ ରାଜନୈତିକ ଅସମାନତା ଦୂର ହେବା ପାଇଁ ଲାଗିଯିବ ୯୫ ବର୍ଷ

ଭାରତରେ ଲିଙ୍ଗଗତ ଅସମାନତା ବ୍ୟାପକ । ଏଠାରେ ମହିଳାଙ୍କ ସ୍ଥିତି ପୁରୁଷଙ୍କ ତୁଳନାରେ କିଛି ଭଲ ନାହିଁ । ଏହି ସବୁ ମଧ୍ୟରେ ଏକ ବିଶ୍ୱସ୍ତରୀୟ ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଇସଲ୍ୟାଣ୍ଡ ଲିଙ୍ଗଗତ ସମାନତା ମାମଲାରେ ବିଶ୍ୱର ସବୁଠୁ ଉତ୍ତମ ଦେଶର ମାନ୍ୟତା ପାଇଛି । ଏହି ଦେଶରେ ମହିଳାଙ୍କ ସହ କୌଣସି ପ୍ରକାର ଭେଦଭାବ କରାଯାଏ ନାହିଁ ।

କ’ଣ କହେ ତଥ୍ୟ: ଲିଙ୍ଗଗତ ଅସମାନତା ରିପୋର୍ଟ ଅନୁସାରେ ୱାର୍ଲ୍ଡ ଇକୋନୋମିକ୍ ଫୋରମ (ଡବ୍ଲୁ ଇ ଏଫ)ର ୨୦୧୯ ବିଶ୍ୱ ସୂଚୀର ୧୧୨ତମ ସ୍ଥାନରେ ଭାରତ ରହିଛି । ଡବ୍ଲୁ ଇ ଏଫ୍ ନିଜ ରିପୋର୍ଟରେ କହିଛି ଯେ, ସାରା ବିଶ୍ୱରେ ଲିଙ୍ଗଗତ ଭେଦଭାବ କମ ହେଉଛି । କିନ୍ତୁ ଏବେ ବି ସ୍ୱାସ୍ଥ୍ୟ, ଶିକ୍ଷା, କର୍ମକ୍ଷେତ୍ର ତଥା ରାଜନୀତି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କଠାରେ ଅସମାନତା ଦେଖିବାକୁ ମିଳୁଛି । ତେବେ ୨୦୧୮ରେ ସ୍ଥିତିରେ କିଛି ମାତ୍ରାରେ ଉନ୍ନତି ଆସିଛି ।

ପଡ଼ୋଶୀ ଦେଶରେ ସ୍ଥିତି: ପଡ଼ୋଶୀ ଦେଶଗୁଡ଼ିକ କଥା ବିଚାରକୁ ନେଲେ ସେଗୁଡ଼ିକ ଭାରତ ଅପେକ୍ଷା ଆଗରେ ଅଛନ୍ତି । ତନ୍ମଧ୍ୟରେ ଚୀନ ୧୦୬ତମ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କା ୧୦୨ତମ ସ୍ଥାନରେ ରହିଛି । ସେହିପରି ନେପାଳ ୧୦୧, ବାଂଲାଦେଶ ୫୦, ପାକିସ୍ତାନ ୧୫୧ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ବିଶ୍ୱରୁ ରାଜନୈତିକ ଅସମାନନତା ଦୂର ହେବା ପାଇଁ ପ୍ରାୟ ୯୫ ବର୍ଷ ଲାଗିଯିବ । ଡବ୍ଲୁ ଇ ଏଫ୍ କହିଛି ଯେ, ରାଜନୀତିରେ ମହିଳାଙ୍କ ସ୍ଥିତିରେ ଅନେକ ସୁଧାର ଦେଖିବାକୁ ମିଳିପାରେ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ଲିଙ୍ଗାନୁପାତ ୯୪୦ ଥିଲା । ୨୦୧୭ରେ ଏସଆରଏସ ସର୍ଭେ ମୁତାବକ ଛତିଶଗଡ଼ରେ ଜନ୍ମ ସମୟରେ ଲିଙ୍ଗାନୁପାତ ୯୬୧ ଥିଲା, ଯାହାକି ଦେଶରେ ସବୁଠୁ ଅଧିକ । ଅନ୍ୟପକ୍ଷେ ହରିୟାଣାରେ ଏହି ସଂଖ୍ୟା ୮୩୩ ଥିଲା, ଯାହାକି ଦେଶରେ ସର୍ବନିମ୍ନ ।

ରିପୋର୍ଟରେ ଭାରତ: ଡବ୍ଲୁ ଇ ଏଫ୍ ୨୦୦୬ରେ ଜେଣ୍ଡର ଗ୍ୟାପକୁ ନେଇ ପ୍ରଥମଥର ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟରେ ଭାରତ ସେତେବେଳେ ୯୮ତମ ସ୍ଥାନରେ ଥିଲା । ଭାରତ ୪ଟି ମାନଦଣ୍ଡ ମଧ୍ୟରୁ ୩ଟିରେ ପଛେଇ ଯାଇଥିଲା । ଆମ ଦେଶ ୨୦୦୬ ରିପୋର୍ଟ ପରଠୁ ହିଁ ପଛୁଆ ହୋଇ ରହିଛି । ରାଜନୈତିକ ସଶକ୍ତୀକରଣ କ୍ଷେତ୍ରରେ ଆମ ଦେଶ ୧୮ତମ ସ୍ଥାନରେ ରହିଛି । ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୧୫୦ତମ ସ୍ଥାନରେ ଅଛି । ଅର୍ଥନୈତିକ ସହଭାଗିତା ଓ ସୁଯୋଗରେ ୧୪୯ତମ ସ୍ଥାନରେ ଏବଂ ଶିକ୍ଷା ଲାଭ କ୍ଷେତ୍ରରେ ୧୧୨ତମ ସ୍ଥାନରେ ଥିବା ଏଥିରେ ଦର୍ଶାଯାଇଛି । ରିପୋର୍ଟ ଅନୁସାରେ ଭାରତରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗ ସୀମିତ ଅଟେ । ଭାରତରେ ଏହା ୩୪.୫% ଥିବାବେଳେ ପାକିସ୍ତାନରେ ୩୨.୭%, ୟେମେନରେ ୨୭.୩% ଓ ଇରାକରେ ୨୨.୭% ରହିଛି । କମ୍ପାନୀଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ମାମଲାରେ ଭାରତ ୧୩.୮% ରହିଛି, ଯାହାକି ଅତି ନଗଣ୍ୟ । ୨୦୧୮ର ରିପୋର୍ଟ ଅନୁସାରେ ଭାରତ ଲିଙ୍ଗଗତ ଅସମାନତା କ୍ଷେତ୍ରରେ ୪ ପାଦ ପଛକୁ ଖସିଛି ।

Spread the love