April 19, 2024

Satya News

odia news channel

୨୦ ଦିନରେ ୫ ଆତ୍ମହତ୍ୟା: ପାରିବାରିକ କଳହ ଓ ଅଭାବ ଯୋଗୁ ବଢୁଛି ଆତ୍ମହତ୍ୟା

 

ଖଣ୍ଡଗିରି: ମହାମାରୀ କରୋନା ସାରା ବିଶ୍ବରେ ଗତ ଦୁଇ ବର୍ଷ ହେଲାଣି ନିଜର କାୟା ବିସ୍ତାର କରିଛି। ତାଲାବନ୍ଦ ସମୟରେ କାମ ନପାଇ ବହୁ ଲୋକ ଜୀବନ ଜୀବିକା ହରାଇଛନ୍ତି। ତେଣୁ ବଞ୍ଚିବା ଦୁର୍ବିସହ ହୋଇପଡିଛି। ଫଳରେ କରୋନା କାଳରେ ରୋଜଗାର ନ ଥିବା ଯୋଗୁ ଲୋକ ଧାର କରଜ କରି ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ଅଭାବକୁ ପରିପୁରଣ କରି ନ ପାରିବାରୁ ପାରିବାରିକ କଳହ ବଢିଯାଉଛି। ତେଣୁ ନୀରିହ ମଣିଷ ଆତ୍ମହତ୍ୟା ହିଁ ଶେଷ ନିଷ୍ପତ୍ତି ବୋଲି ବାଛିନେଉଛି। ମହାମାରି କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଯେତିକି ଚିନ୍ତା ବଢାଉଛି ଏହି କରୋନା ସମୟରେ ଅଭାବି ଓ ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା ବେଶୀ ଯନ୍ତ୍ରଣାଦାୟକ ହେଉଛି। ଗତ ୨୦ ଦିନ ମଧ୍ୟରେ ୫ ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ଅକ୍ଟୋବର ୯ ତାରିଖରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ନୟାଗଡ଼ ଷଠିଆପଲ୍ଲି ଗ୍ରାମର ଆଲୋକ ସାହୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେ ଭୁବନେଶ୍ୱର ଅଞ୍ଚଳରେ ମିସ୍ତ୍ରୀ କାମ କରୁଥିଲେ। ୨୦ ତାରିଖ ଦିନ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳରେ ନମିତା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ। ତାଙ୍କର ଏକ ଦୋକାନ ଥିଲା। ଦୋକାନ ଏହି ସମୟରେ ଭଲ ଚାଲୁନଥିଲା। ଏନେଇ ନମିତା ଅନେକ ସମୟରେ ଚିନ୍ତାରେ ରହୁଥିଲେ। ସ୍ବାମୀ ଦୋକାନ ଖୋଲିବାକୁ ଆସିଥିବା ବେଳେ ନମିତା ଆତ୍ମହତ୍ୟା କରିଥିଲେ। ଗତ ୨୧ ତାରିଖ ଦିନ ଯାଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡା ଅଞ୍ଚଳରେ ଗୋପ ଅଞ୍ଚଳର ଜଣେ ଯୁବକ ଶରତ ମହାରଣା ଆତ୍ମହତ୍ୟା କରିଥିଲେ। ତାଙ୍କର ଏକ ଲୁହା କଣ୍ଟା ତିଆରି ସଂସ୍ଥା ସହ ଆହୁରି ଅନେକ ସଂସ୍ଥା ଥିଲା। ଉକ୍ତ ସଂସ୍ଥା ଚଳାଇବା ପାଇଁ ସେ ଅନେକଙ୍କଠାରୁ କରଜ ଆଣିଥିଲେ। କରଜ ଶୁଝିବା ସମ୍ଭବ ହେଉନଥିଲା। ତେଣୁ ଅନେକ ସମୟରେ ଘରେ ଝଗଡା ହେଉଥିଲା। ଗତ ୨୨ତାରିଖ ଦିନ ଶରତ ନିଜ ଭଡ଼ା ଘରେ ଆତ୍ମହତ୍ୟା କରିଥିଲେ। ୨୪ ତାରିଖ ଦିନ ଖଣ୍ଡଗିରି ଥାନା ସୌଭାଗ୍ୟ ନଗରରେ ନିତ୍ୟାନନ୍ଦ ସାହୁ ନାମକ ଜଣେ ଦୋକାନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନିତ୍ୟାନନ୍ଦଙ୍କ ଏକ ପରିବା ଦୋକାନ ଥିଲା। ଭଲ ବେପାର ମଧ୍ୟ ହେଉନଥିଲା। ତେଣୁ ବାକି ଟଙ୍କା ସୁଝିବା ପାଇଁ ନିତ୍ୟାନନ୍ଦ ମାନସିକ ଚାପରେ ରହୁଥିଲେ। ଗତ ୨୪ ତାରିଖ ଦିନ ନିଜ ଦୋକାନ ଭିତରେ ନିତ୍ୟାନନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେହିଭଳି ଗତକାଲି ଭରତପୁର ଥାନା ସାଇ ବିହାର ଠାରେ ପାରିବାରିକ କଳହ ଯୋଗୁ ନୀଳମଣି ଦେବତା ନାମକ ଜଣେ ଯୁବକ ରୋଲର ଚକ ତଳେ ଆତ୍ମହତ୍ୟା କରିଥିଲେ। କରୋନା ସମୟରେ ରୋଜଗାର କମ୍ ଯୋଗୁ ପାରିବାରିକ କଳହ ପାଇଁ ଆତ୍ମହତ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।
Spread the love