April 19, 2024

Satya News

odia news channel

ଗରିବଙ୍କ ମତାଧିକାର ଛଡ଼ାଇବାକୁ ଚାହୁଁଛି ସରକାର: ଜାଭେଦ ଅଖତର

ଗରିବଙ୍କ ମତଦାନ ଅଧିକାର ଛଡ଼ାଇବାକୁ ଚାହୁଁଛି ସରକାର: ଜାଭେଦ ଅଖତର

ଗୀତିକାର ଜାଭେଦ ଅଖତରଙ୍କ କହିବା ହେଉଛି କେନ୍ଦ୍ର ସରକାର ସମାଜର ଗରିବ, ଦଳିତ ଓ ଆଦିବାସୀମାନଙ୍କ ମତଦାନ ଅଧିକାର ଛଡ଼ାଇନେବା ପାଇଁ ଉଦ୍ୟମ କରୁଛନ୍ତି । ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସରକାର ନାଗରିକତା ଆଇନ ଏବଂ ଏନଆରସି ବାହାନାରେ କେବଳ ସେହି ଲୋକମାନଙ୍କ ଭୋଟ ଦେବା ଅଧିକାର ବଜାୟ ରଖିବେ ଯେଉଁମାନଙ୍କଠାରୁ ଭୋଟ ମିଳିପାରିବ । ସେ ଅଭିଯୋଗ ଆଣିଛନ୍ତି ଯେ ଦେଶକୁ ହିନ୍ଦୁ ପାକିସ୍ତାନରେ ପରିଣତ କରିବାର ପ୍ରୟାସ ଚାଲିଛି । ଲୋକଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ବୁଧବାର ୟୁପିର ସାହିବାବାଦ, ଝଣ୍ଡାପୁରରେ ପ୍ରଖ୍ୟାତ କବି ଓ ଲେଖକ ସଫଦର ହାଶମିଙ୍କ ୩୧ତମ ବଳିଦାନ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଜାଭେଦ ଅଖତର । ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରାଯାଉଥିବା କୁହାଯାଉଛି । ଏଥିପାଇଁ ମୁସଲିମମାନଙ୍କ କ୍ଷତି ହେବ । କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରି ସେ କହିଲେ ଯେ ସେମାନଙ୍କ ପାଇଁ ସଂଖ୍ୟାଲଘୁ ସିଡ଼ି ଅଛି । ଏମାନଙ୍କୁ ଦେଶର ସଂଖ୍ୟାଗରିଷ୍ଠ ୮୫% ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଆବଶ୍ୟକ । କିନ୍ତୁ ଏହି ପ୍ରୟାସର ପରିଣାମ ସୁଖଦ ହେବ ନାହିଁ ।
ଧର୍ମନିରପେକ୍ଷତା ଉପରେ ପ୍ରହାର କରାଯାଉଛି: ସୀତାରାମ ୟେଚୁରୀ
ଏହି ଅବସରରେ ସିପିଏମ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ସଫଦର ହାଶମି କ୍ରାନ୍ତିକାରୀ ଥିଲେ । ସେ ଦେଶରେ ଧର୍ମନିରପେକ୍ଷତା ବଜାୟ ରଖିବା ପାଇଁ କାମ କରିଥିଲେ । ତାଙ୍କ ନାଟକ ମଧ୍ୟ ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ବିରୋଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ସେ କହୁଥିଲେ ଯେ ଦେଶରେ ଭାଇଚାରାକୁ ସମାପ୍ତ କରିବା ପାଇଁ ଉଦ୍ୟମ ହେବ । ଆଜି ତାହା ଚାଲିଛି । ନାଗରିକତା ଆଇନ ବଳରେ ସମ୍ବିଧାନକୁ ଉପହାସ କରାଯାଉଛି । ନାଗରିକତା ରେଜିଷ୍ଟରରେ ଯଦି ଅଫିସର ସନ୍ତୁଷ୍ଟ ନହେବେ ତେବେ ଆପଣଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇବେ । କରାଳ ବନ୍ୟାର ବିଭୀଷିକାକୁ ସାମନା କରିଥିବା ଲକ୍ଷ ଲକ୍ଷ ଲୋକ କେଉଁଠୁ ଆଣିବେ ନିଜର ପ୍ରମାଣ? ସେମାନଙ୍କ ଘର ହିଁ ପାଣିରେ ଭାସିଯାଇଛି । ଦେଶରେ ଲୋକଙ୍କ ମଧ୍ୟରେ ଘୃଣା ବିସ୍ତାର କରାଯାଉଛି ।
Spread the love