April 25, 2024

Satya News

odia news channel

୧୦ ଜଣ କୃଷକ ଓ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କବାଦୀ, ସୀମା ଟପିଲା ନୃଶଂସତା, ସାରା ବିଶ୍ୱ ସ୍ତବ୍ଧ

 

ଜୋହାନ୍ସବର୍ଗ :  ନାଇଜେରିଆରେ ଆତଙ୍କବାଦୀମାନେ ନୃଶଂସତାର ସମସ୍ତ ସୀମା ପାର୍ କରିଛନ୍ତି । ଆତଙ୍କବାଦୀମାନେ ୧୧୦ଜଣ ସାଧାରଣ ଲୋକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷକ ଓ ଶ୍ରମିକ ରହିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ମୃତକଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଛନ୍ତି ଆତଙ୍କବାଦୀ । ଆକ୍ରମଣ ପଛରେ ବୋକୋ ହାରାମର ହାତ ରହିଛି ।

ହତ୍ୟା କରିବା ପରେ ଆତଙ୍କବାଦୀମାନେ ମୃତକଙ୍କ ପତ୍ନୀ ଓ ଝିଅଙ୍କୁ ଅପହରଣ କରି ନେଇଛନ୍ତି। ନାଇଜେରିଆର ବୋନୋ ରାଜ୍ୟରେ ଏହି ଘଟଣା ଘଟିଛି । ରବିବାର ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ଏଏଫପିର ରିପୋର୍ଟ ଅନୁସାରେ, ନାଇଜେରିଆରେ ସଂଯୁକ୍ତ ରାଷ୍ଟ୍ରର ସହଯୋଗୀ ଏଡଓ୍ୱାର୍ଡ କେଲେନଙ୍କ କହିବାନୁସାରେ ୧୧୦ଜଣଙ୍କୁ ହତ୍ୟା କରାଯାଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯିବା ନେଇ ପ୍ରଥମ ଘଟଣା । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

କୁହାଯାଉଛି ଯେ, ଆତଙ୍କବାଦୀମାନେ ବନ୍ଧୁକ ଧରି ମୋଟରସାଇକେଲରେ ଆସିଥିଲେ । ପ୍ରଥମେ ୪୩ଟି ମୃତଦେହ ମିଳିଥିଲା । ପରେ ଶନିବାର ଆଉ ୭୦ଟି ମୃତଦେହ ଉଦ୍ଧାର ହୋଇଛି ।

ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ବୁହାରୀ କହିଛନ୍ତି ଯେ, ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଗତ ମାସରେ ମଧ୍ୟ ଆତଙ୍କବାଦୀମାନେ ୨୨ଜଣ କୃଷକଙ୍କୁ ହତ୍ୟା କରିଥିଲେ ।

Spread the love