March 27, 2023

Satya News

odia news channel

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ

 

ଭୁବନେଶ୍ୱର: ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ଆକାଶଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଭୁବନେଶ୍ୱର SDJM। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି।

ମିଳିଥିବା ସୂଚନା ଅନୁସାରେ, ଆକାଶଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ହେଡ୍ କ୍ୱାର୍ଟରରେ ରଖି ପଚରାଉଚୁରା କରାଯିବ। ରିମାଣ୍ଡ ବେଳେ ସେ କରିଥିବା ଜାଲିଆତି, ଠକେଇ ଏବଂ ଷ଼ଡଯନ୍ତ୍ର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ। ଚାକିରି ଦେବା ନାଁରେ ସେ କେତେ ଜଣଙ୍କୁ ଠକିଛନ୍ତି ତାଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତାଙ୍କର ଲିଙ୍କ୍ ଓ ଅର୍ଥ କାରବାରର ଗୁମର ଖୋଲିବ କ୍ରାଇମବାଞ୍ଚ।

ସେପଟେ ଆଜି ଏକ ନୂଆ ମାମଲାରେ ଉଭୟ ପାଠକ ବାପପୁଅଙ୍କୁ କୋର୍ଟରେ ହାଜର କରିଥିଲା କମିଶନରେଟ୍ ପୋଲିସ। ଖାରବେଳନଗର ଥାନାରେ ଟାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ ପକ୍ଷରୁ ହୋଇଥିବା ୬୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହାଜର ହୋଇଥିଲେ ଅଭୟକାନ୍ତ ଓ ପୁଅ ଆକାଶ। ତେବେ କୋର୍ଟରେ ହାଜର ବେଳେ ପୁଣି ଥରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଆକାଶ।

ଦୁର୍ନୀତି ଉପାୟ ଅବଲମ୍ବନ କରି ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ନଭେମ୍ବର ୨୭ ତାରିଖରେ ପାଠକ ବାପ ପୁଅଙ୍କୁ ଗିରଫ କରିଥିଲା। ପରେ ଆକାଶଙ୍କ ବିରୋଧରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ।

Spread the love