March 28, 2024

Satya News

odia news channel

ଅଦନାନ ସାମିଙ୍କ ପିତା ଅର୍ଶଦ ସାମିଙ୍କୁ ନେଇ ଭାରତରେ ବୋବାଲ । ଜାଣନ୍ତୁ କିଏ ଥିଲେ ସେ, କେଉଁଠୁ ଆସିଥିଲେ…


ଜାଣନ୍ତୁ ଅର୍ଶଦ ସାମିଙ୍କ ବିଷୟରେ, ଯିଏ ଭାରତ ବିରୋଧରେ ଲଢ଼ିଥିଲେ ୧୯୬୫ ଯୁଦ୍ଧ
ଇସଲାମାବାଦ,୨୭ ।୧: ପ୍ରଖ୍ୟାତ ଗାୟକ ଅଦନାନ ସାମିଙ୍କ ବାପା ଅର୍ଶଦ ସାମି ଖାନ ପାକିସ୍ତାନୀ ବାୟୁସେନା ପାଇଲଟ ଥିଲେ ବୋଲି ଅଦନାନ ସାମିଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଏକ ନୂଆ ବିବାଦକୁ ଜନ୍ମ ଦେଇଛି । ବହୁ ସଂଖ୍ୟକ ଲୋକ ମୋଦି ସରକାରଙ୍କ ନିଷ୍ପତ୍ତିକୁ ଉଚିତ ଠଉରାଉଥିବାବେଳେ ବିପକ୍ଷ ଦଳଗୁଡ଼ିକର କହିବା ହେଲା ଯେ ସରକାର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହି ପଦକ୍ଷେପ ନେଉଛନ୍ତି । ଅଦନାନ ସାମିଙ୍କୁ ପଦ୍ମଶ୍ରୀ ଦେବା ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକଙ୍କ ଯୁକ୍ତି ହେଲା ଯେ ତାଙ୍କ ବାପା ଅର୍ଶଦ ସାମି ପାକିସ୍ତାନୀ ସେନାରେ ଥିଲେ । ବିରୋଧୀ ଦଳଙ୍କୁ ଅଦନାନ ସାମିଙ୍କ କହିବା ହେଲା, ତାଙ୍କ ପିତା ଯାହା କରିଥିଲେ ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ଥିଲା । ବାପାଙ୍କ କାର୍ଯ୍ୟକୁ ନେଇ ପୁଅକୁ କେମିତି ଉତ୍ତରଦାୟୀ କରିବ । ଭାରତ ପ୍ରତି ତାଙ୍କର ଆନୁଗତ୍ୟ ଓ ଭକ୍ତି ରହିଛି ଓ ଜଣେ ସଙ୍ଗୀତଜ୍ଞ ଭାବେ ତାଙ୍କୁ ଏହି ପୁରସ୍କାର ମିଳିଛି ।
ଅଦନାନ ଆହୁରି ଖୁଲାସା କରିଛନ୍ତି ଯେ ସେ ଜନ୍ମ ହେବା ପୂର୍ବରୁ ବାପା ବାୟୁସେନାର ଚାକିରି ଛାଡ଼ି ସାରିଥିଲେ । ଏବଂ ସେ ନିଜ ବାପାଙ୍କୁ ବାୟୁସେନା ପୋଷାକରେ କେବେ ଦେଖି ନଥିବା କହିଛନ୍ତି । ଏଥିରେ ତାଙ୍କ ବାପାଙ୍କ କିଛି ସମ୍ପର୍କ ନାହିଁ ବୋଲି ବିବାଦୀୟ ହୋଇପଡ଼ିଥିବା ଅଦନାନ ସଫେଇ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ଯେଉଁ ୧୧୮ ଜଣଙ୍କ ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ଅଦନାନ ଅଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଦଦାନଙ୍କ ଘର ମହାରାଷ୍ଟ୍ର ବୋଲି ଏହି ତାଲିକାରେ ସୂଚିତ କରିଛି । ରବିବାର କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ ପ୍ରଶ୍ନ କରିଥିଲେ, କାରଗିଲ ଯୁଦ୍ଧ ଭେଟେରାନ ମହମ୍ମଦ ସନାଉଲ୍ଲାଙ୍କ ନାମ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ରୁ ବାଦ ପଡ଼ିବା ପରେ ତାଙ୍କୁ ବିଦେଶୀ ଘୋଷଣା କରାଯାଇଥିବାବେଳେ ଜଣେ ପାକିସ୍ତାନୀ ବାୟୁସେନାର ପାଇଲଟଙ୍କ ପୁଅଙ୍କୁ ଭାରତରେ କାହିଁକି ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯାଉଛି । ସେପଟେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଅଧ୍ୟକ୍ଷ ରାଜ ଠାକରେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ସାମି ଜଣେ ‘ଅରିଜିନାଲ ଇଣ୍ଡିଆନ୍ ସିଟିଜେନ’ ନୁହନ୍ତି ବୋଲି ସେ କହିଥିଲେ । ସେହିପରି ଶରଦ ପାୱାରଙ୍କ ଦଳ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଏହାକୁ ୧୩ କୋଟି ଭାରତୀୟଙ୍କ ପାଇଁ ଏକ ଲଜ୍ଜା ବୋଲି ଅଭିହିତ କରିଛି । କୌଣସି ପାକିିସ୍ତାନୀ ‘ଜୟ ମୋଦି’ ବୋଲି ସ୍ଲୋଗାନ ଦେଲେ ତାଙ୍କୁ ଭାରତର ନାଗରିକତ୍ୱ ମିଳିଯିବ ଆଉ ତା’ ସହ ପଦ୍ମଶ୍ରୀ ସମ୍ମାନ ମଧ୍ୟ ଦିଆଯିବ ବୋଲି ଏନସିପି ମୁଖପାତ୍ର ନୱାବ ମଲିକ କଟାକ୍ଷ କରିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଅଦଦାନ ସମର୍ଥନ କରୁଥିବାରୁ ତାଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଏହି ପୁରସ୍କାର ଦେଇଥିବା ବିରୋଧୀମାନେ ସମାଲୋଚନା କରୁଛନ୍ତି ।

କିଏ ଥିଲେ ଅର୍ଶଦ ସାମୀ: ଅଦନାନଙ୍କ ପିତା ଫ୍ଲାଇଟ ଲିଉଟନାଣ୍ଟ ଅର୍ଶଦ ସାମି ଖାନଙ୍କ ଜନ୍ମ ୧୯୪୨ ଜାନୁୟାରୀ ୮ରେ ହୋଇଥିଲା । ୨୦୦୯ ଜୁନ ୨୨ରେ ପ୍ରାଣ ହରାଇଥିବା ପାକିସ୍ତାନୀ ବାୟୁସେନାର ଏହି ପାଇଲଟ ଭାରତ ବିରୋଧରେ ୧୯୬୫ ଯୁଦ୍ଧ ମଧ୍ୟ ଲଢ଼ିଥିଲେ । କୁହାଯାଉଛି ଯେ ସେ ଏହି ଯୁଦ୍ଧ ବେଳେ ଭାରତର ଏକ ଯୁଦ୍ଧବିମାନ, ୧୫ ଟ୍ୟାଙ୍କ ଓ ୧୨ ବାହନକୁ ଧ୍ୱଂସ କରିଦେଇଥିଲେ । ୧୯୭୨ରେ ବାୟୁସେନାରୁ ଅବସର ନେବା ପରେ ବି ସେ ପାକିସ୍ତାନୀ ସରକାରରେ ସକ୍ରିୟ ଥିଲେ । ରାଷ୍ଟ୍ରପତି ଜୁଲଫିକର ଅଲି ଭୁଟ୍ଟୋ ତାଙ୍କୁ ବୈଦେଶିକ ସେବାରେ ସାମିଲ କରିଥିଲେ । ଅର୍ଶଦଙ୍କୁ ସ୍ୱିଡେନ, ଡେନମାର୍କ ଓ ନରୱେ ସମେତ ୧୦ ଅନ୍ୟ ଦେଶରେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଥିଲା । ସେ ପାକିସ୍ତାନର ରାଷ୍ଟ୍ରପତି ଗୁଲାମ ଇଶହାକ ଖାନ, ଫାରୁକ ଲଗହରି ଓ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ, ଗୁଲାମ ମୁସ୍ତାଫା ଏବଂ ନୱାଜ ଶରିଫଙ୍କ ବ୍ୟକ୍ତିଗତ ଷ୍ଟାଫ ମଧ୍ୟ ଥିଲେ । ବେନଜିର ଭୁଟ୍ଟୋ ସରକାର ତାଙ୍କୁ ପାକିସ୍ତାନର ପ୍ରଥମ କମିଶନର ଜେନେରାଲ ନିଯୁକ୍ତ କରିଥିଲେ ଏବଂ ପରେ ତାଙ୍କୁ ସରକାରଙ୍କ ସଙ୍ଘୀୟ ସଚିବ ମଧ୍ୟ କରିଥିଲେ । ୨୦୧୨ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ଅବସରରେ ଅର୍ଶଦ ଖାନଙ୍କୁ ପାକିସ୍ତାନ ରାଷ୍ଟ୍ରପତି ମରଣୋତ୍ତର ଭାବେ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ସିତାରା-ଏ-ଇମତିୟାଜ’ ଉପାଧି ପ୍ରଦାନ କରିଥିଲେ ।
ଆଫଗାନିସ୍ତାନରୁ ଆସିଥିଲା ପରିବାର: ଅର୍ଶଦ ସାମି ଖାନ ପସ୍ତୁନ ପରିବାରରୁ ଆସିଥିଲେ । ତାଙ୍କ ପୂର୍ବଜ ଆଫଗାନିସ୍ତାନରୁ ପଳାୟନ କରି ପାକିସ୍ତାନରେ ପହଞ୍ôଚଥିଲେ । ତାଙ୍କ ବାପା ଅବଦୁଲ ସାମି ଖାନ ପୋଲିସରେ ଉପମହାନିରୀକ୍ଷକ ଥିଲେ । ତାଙ୍କ ଅଜା ଜେନେରାଲ ମହଫୁଜ ଖାନ ଆଫଗାନିସ୍ତାନର ହେରାତରେ ରହୁଥିଲେ । ସେ ରାଜା ଉମାନୁଲ୍ଲା ଖାନଙ୍କ ଶାସନରେ ଆଫଗାନିସ୍ତାନର ୪ ପ୍ରଦେଶ ହେରାତ, କାବୁଲ, ଜଲାଲାବାଦ ଓ ବଲଖର ଗଭର୍ଣ୍ଣର ଥିଲେ । ମହଫୁଜଙ୍କ ହତ୍ୟା ପରେ ତାଙ୍କ ପରିବାର ପାକିସ୍ତାନର ପେଶାୱରକୁ ପଳାୟନ କରିଥିଲା । ପେଶାୱର ସେତେବେଳେ ବ୍ରିଟିଶ ଇଣ୍ଡିଆର ଏକ ଅଂଶ ଥିଲା ।

କେବେ ଆସିଲେ ଭାରତକୁ: ପାକିସ୍ତାନର ଲାହୋରରେ ଜନ୍ମିତ ଅଦନାନ ସାମି ୨୦୦୧ ମାର୍ଚ୍ଚ ୧୩ରେ ବର୍ଷିକିଆ ଭିଜିଟର୍ସ ଭିଜା ବଳରେ ପ୍ରଥମଥର ପାଇଁ ଭାରତ ଆସିଥିଲେ । ୨୦୧୫ ମେ ୬ରେ ଅଦଦାନଙ୍କ ପାକିସ୍ତାନୀ ପାସପୋର୍ଟର ଅବଧି ଶେଷ ହୋଇଯିବା ପରେ ସେ ରିନ୍ୟୁ କରାଇପାରି ନଥିଲେ । ଫଳରେ ସେ ମାନବିକତା ଦୃଷ୍ଟିରୁ ଏଠାରେ ତାଙ୍କ ରହଣୀକୁ ବୈଧ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ୨୦୧୬ ଜାନୁୟାରୀ ୧ରେ ତାଙ୍କୁ ଭାରତର ନାଗରିକତ୍ୱ ମିଳିଥିଲା । ୩୪ ବର୍ଷର ମ୍ୟୁଜିକ କ୍ୟାରିୟରରୁ ଇତିମଧ୍ୟରେ ୨୦ ବର୍ଷ ଭାରତରେ ବିତାଇ ସାରିଥିବାରୁ ଦେଶ ପ୍ରତି ତାଙ୍କ ସେବାକୁ ଦେଖି ସରକାର ଏହି ସମ୍ମାନ ଦେଇଛନ୍ତି ବୋଲି ଅଦନାନ ସାମି କହିଛନ୍ତି ।

Spread the love