November 30, 2023

Satya News

odia news channel

ଆଜି ବିଶ୍ବ କର୍କଟ ଦିବସ : ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା

 

ଭୁବନେଶ୍ବର : ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିତ୍ସା। ଆସନ୍ତା ୨୦୨୬ମସିହା ସୁଦ୍ଧା ଏହି ଚିକିତ୍ସା ସୁବିଧା ଜିଲ୍ଲାସ୍ତରରେ କର୍କଟ ରୋଗୀମାନେ ପାଇପାରିବେ। ରେଡିଓ ଥେରାପି ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଜିଲ୍ଲାସ୍ତରରେ ରୋଗୀମାନେ ଏଭଳି ଚିକିତ୍ସାର ସୁଯୋଗ ନେଇପାରିବେ। ଯାହାଫଳରେ ରୋଗୀମାନଙ୍କୁ ଆଉ ଆଚାର୍ଯ୍ୟ ହରିହର ଭଳି କର୍କଟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ପ୍ରଥମ ପର୍ଯ୍ୟାୟରେ ଭିମସାର, ଏମ୍‌କେସିଜି, କୋରାପୁଟସ୍ଥିତ ଏସ୍‌ଏଲଏନ୍‌ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, କେନ୍ଦୁଝର ଓ ବଡ଼ଗଡ଼ ଜିଲ୍ଲାରେ ଏହି ସୁବିଧା ମିଳିବ। ପରବର୍ତୀ ସମୟରେ ବାଲେଶ୍ବର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ ଓ ଭବାନୀପାଟଣାରେ ରେଡିଓ ଥେରାପି ଉପଲବ୍ଧ ହେବ। ଏଥିପାଇଁ ଏସବୁ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ। ରାଜ୍ୟ କର୍କଟ କେୟାର ପ୍ଲାନ୍ ଅଧୀନରେ ଏହି ସୁବିଧା ଦିଆଯିବ। ପ୍ରତ୍ୟେକ ସ୍ଥାନରେ ମେସିନ୍ ସହିତ ଏହାର ଇନଷ୍ଟେଲେସନ୍ ପାଇଁ ୧୫ କୋଟି ଟଙ୍କା ଖର୍ଚ କରାଯିବ। ଏଥିପାଇଁ ସ୍ବତନ୍ତ୍ରଭାବେ ଏକ ବଙ୍କର ନିର୍ମାଣ କରାଯିବ। ଏଥିପାଇଁ ହେବାକୁ ଥିବା ଧାର୍ଯ୍ୟ ବ୍ୟୟ ଅଟକଳ କରାଯାଇଛି। ଅର୍ଥ ମଞ୍ଜୁର ହେବା ପରେ କାମ ଆରମ୍ଭ ହେବ। ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସଂପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତାକାଲି ହେଉଛି ବିଶ୍ବ କର୍କଟ ଦିବସ। ଫେବ୍ରୁଆରି ୪ ତାରିଖରେ ବିଶ୍ବସ୍ତରରେ କର୍କଟ ରୋଗର ସତର୍କତା ପାଇଁ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାରେ କର୍କଟ ରୋଗ ଧୀରେ ଧୀରେ ଉଦ୍‌ବେଗଜନକ ସ୍ଥିତି ଆଡ଼କୁ ଗତି କରୁଛି। ପ୍ରତିବର୍ଷ ପ୍ରାୟ ୩୫ରୁ ୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ପ୍ରାୟ ୫୦ ହଜାରକୁ ବୃଦ୍ଧି ପାଉଛି। ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ କର୍କଟରେ ମୃତ୍ୟୁ ହୋଇଯାଉଛି। ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଚାଲୁ ରହିଛି। ଏଥିରୁ ମଧ୍ୟ ଅନେକ ରୋଗୀ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି। ରାଜ୍ୟରେ ଏବେ ପ୍ରାୟ ଦେଢ଼ଲକ୍ଷ କର୍କଟ ସର୍ଭାଇଭର୍‌ (ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି ବୋଲି ଅନୁମାନ କରାଯାଉଛି।

ରାଜ୍ୟରେ ଏବେ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଣ୍ଟିବଡ଼ି ପରୀକ୍ଷା, ଏସ୍‌ସିବିରେ ମଲେକ୍ୟୁଲାର ବାଇଓଲୋଜି ପରୀକ୍ଷାଗାର ଜରିଆରେ ରକ୍ତ ସଂଗ୍ରହ କରାଯାଇ ସ୍କ୍ରିନିଂ କରାଯାଉଛି। ଯାହାଫଳରେ ରୋଗୀଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରୁଛି। ଫଳରେ ମୃତକଙ୍କ ସଂଖ୍ୟା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ରାଜ୍ୟରେ ଯେତିକି ସଂଖ୍ୟକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ତାହିଁରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ତମାଖୁ ସେବନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତମାଖୁ ବର୍ଜନ ନେଇ ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ନିୟନ୍ତ୍ରଣ ଆସି ପାରୁ ନାହିଁ। ବିଦ୍ୟାଳୟଠାରୁ ୧୦୦ମିଟର ଦୂରରେ କୌଣସି ପ୍ରକାର ତମାଖୁ ସେବନକୁ ବାରଣ କରାଯାଇଛି। ମାତ୍ର ତାହା କଡ଼ାକଡ଼ି ଭାବେ ପାଳନ ହୋଇପାରୁନାହିଁ। ଏହାସହ ରାଜ୍ୟ ସରକାର ରାଜ୍ୟରେ ଗୁଟ୍‌ଖାକୁ ନିଷିଦ୍ଧ ଘୋଷଣା କରିଥିଲେ ହେଁ ତାହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସେହିପରି ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ମଧ୍ୟ ଚିନ୍ତାଜନକ ସ୍ଥିତି‌‌ରେ ରହିଛି। ସଚେତନତା ଅଭାବରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

Spread the love