March 29, 2024

Satya News

odia news channel

ଆଜି ଜଗାର ଦର୍ଶନ ପାଇବେ ପୁରୀ ବାସିନ୍ଦା

 

ପୁରୀ: ଆଜିଠୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ବାସିନ୍ଦା।  ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍‌ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ କରାଯାଇଛି ।

ଏସ୍‌ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର ମୁତୟନ ରହିବେ।  ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ହୋଇଛି । କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯିବ । କିଓସ୍କଗୁଡ଼ିକରେ ପୋଲିସ ମୁତୟନ ରହି ଲୋକଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଛନ୍ତି ।

ଆଜିିଠୁ ୩୧ ଯାଏଁ ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ୨/୩/୬/୯/ ୧୧/୧୨/ ୧୫ ନମ୍ବର ଓ୍ୱାର୍ଡ ବାସୀ ଦର୍ଶନ କରିବେ।

ସୂଚନାଥାଉ କି, କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ୯ ମାସ ପାଇଁ ବନ୍ଦଥିଲା। ଚାରି ଦିନ ତଳେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ପାଇଥିଲେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଥିଲା ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରିଥିଲେ। ନିୟମ ଅନୁସାରେ ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେହିଭଳି ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି। ପ୍ରତି ଓ୍ୱାର୍ଡ ବୁଲି ପୌରପାଳିକା ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି। ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।

ତେବେ ଏସ୍ଓପି ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନା କରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା ମଧ୍ୟ ଜରୁରୀ।

Spread the love