March 28, 2024

Satya News

odia news channel

ଅଖିଳେଶଙ୍କ ଘୋଷଣା, ଉତ୍ତର ପ୍ରଦେଶ ନିର୍ବାଚନରେ କୌଣସି ବଡ ଦଳ ସହ ମେଣ୍ଟ କରିବ ନାହିଁ ସମାଜବାଦୀ ପାର୍ଟି

 

ଲକ୍ଷ୍ନୌ : ବିହାର ନିର୍ବାଚନରୁ ଉଚିତ୍ ଶିକ୍ଷା ନେଇ ସମାଜବାଦୀ ପାର୍ଟି(ଏସପି)ର ସଭାପତି ଅଖିଳେଶ ଯାଦବ ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ସେ ନିଜର କକା ଶିବପାଲ ସିଂହ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ମିଶିକି ନିର୍ବାଚନ ଲଢୁ ଏବଂ ଯୋଜନା ଅନୁସାରେ ସବୁ କିଛି ଠିକ୍ ରହେ ତେବେ କକା ଶିବପାଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବୁ।

ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି,  ନିର୍ବାଚନରେ ସମସ୍ତ ଛୋଟ ପାର୍ଟିକୁ ସାଙ୍ଗରେ ନେବାକୁ ଚେଷ୍ଟା କରାଯିବ। ସେ ସ୍ପଷ୍ଟ କରିଛନ୍ତି ଯେ, ୟୁପି ନିର୍ବାଚନ ପାଇଁ ବିଏସପି ସମେତ କୌଣସି ବଡ ପାର୍ଟି ସହ ମେଣ୍ଟ କରିବେ ନାହିଁ।

ଉଲ୍ଲେଖନୀୟ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି କଂଗ୍ରେସ ସହ ମିଶି ନିର୍ବାଚନ ଲଢିଥିଲା। ଏହା ପରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ନିକଟରେ କଂଗ୍ରେସ ଆରଜେଡି ସହିତ ମିଶି ବିହାର ବିଧାନସଭା ନିର୍ବାଚନ ଲଢିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ପାରିନାହିଁ। ଏହାକୁ ନେଇ ମେଣ୍ଟରେ କଂଗ୍ରେସର ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି ଯେ, ୟୁପି ନିର୍ବାଚନରେ ଏସପି ଆଉ କୌଣସି ବଡ ସହିତ ମିଶି ନିର୍ବାଚନ ଲଢିବ ନାହିଁ କି ମେଣ୍ଟ କରିବ ନାହିଁ।

ଶିବପାଲ ଯାଦବଙ୍କ ପାର୍ଟି ସହ ମେଣ୍ଟ କରିବା ନେଇ ଅଖିଳେଶ କହିଛନ୍ତି, ତାଙ୍କ ପାର୍ଟି ସହ ଖାପ ଖୁଆଇବାକୁ ପଡିବ। ଯଶବନ୍ତପୁର ଶିବପାଲଙ୍କ ଆସନ। ସମାଜବାଦୀ ପାର୍ଟି ସେହି ସିଟ୍ ତାଙ୍କୁ ଛାଡିବାକୁ ପ୍ରସ୍ତୁତ। ମିଶିକି ସରକାର ଗଢିଲେ ତାଙ୍କ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବୁ।

ୟୁପିରେ ହୋଇଥିବା ଉପ ନିର୍ବାଚନରେ ଏସପିର ପରାଜୟ ଉପରେ ଅଖିଳେଶ କହିଛନ୍ତି, ଆମେ ହାରି ନାହୁଁ। ଯେବେ ନିର୍ବାଚନ ସେଠାକାର ଡିଏମ, ଏସପି, ସିଓ ଓ ସିପାହୀ ଲଢିବେ ତେବେ କିଏ ଜିତିବ ? ସେଠାରେ ନିର୍ବାଚନ ବିଜେପି ଲଢୁନି। ତାଙ୍କ ସରକାରରେ ଯେତେ ବି ଅଧିକାରୀ ଅଛନ୍ତି ସେମାନେ ନିର୍ବାଚନ ଲଢୁଛନ୍ତି।

Spread the love