March 27, 2024

Satya News

odia news channel

ଭାରତ ବନ୍ଦ: ବିକ୍ଷୋଭ ପରେ ରେଳ ଚଳାଚଳ ଆରମ୍ଭ

ଭୁବନେଶ୍ୱର,୮/୧: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ବୁଧବାର ବାମଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ପାଳନ କରାଯାଉଛି। ଦେଶ ସମେତ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି। ଏହି ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ ଦେଇଥିବାବେଳେ ଏହା ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ତେବେ ଏହି ୨୪ ଘଣ୍ଟିଆ ଭାରତବନ୍ଦ ପାଳନ ଯୋଗୁଁ ପୂର୍ବତଟ ରେଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରାଯିବା ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏ ନେଇ ପୂର୍ବତଟ ରେଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସକାଳ ୬ଟା ବେଳେ ତାଳଚେର, ସକାଳ ୬ଟା ୩୦ରେ ଭୁବନେଶ୍ୱର, ୬ଟା ୧୫ରେ ଭଦ୍ରକ, ସକାଳ ୬ଟା ୨୫ରେ କେନ୍ଦୁଝରଗଡ଼, ସକାଳ ୭ଟାରେ ବ୍ରହ୍ମପୁର, ସକାଳ ୭ଟା ୨୦ରେ ପୁରୀ, ସକାଳ ୮ଟାରେ କଟକ ରେଳ ଷ୍ଟେସନ୍‌ରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ସକାଳ ୯ଟା ୩୦ରେ, କେନ୍ଦୁଝରଗଡ଼ରେ ୮ଟା ୨୦ରେ ଓ ବ୍ରହ୍ମପୁରରେ ୮ଟା ୩୦ରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା। ଏଥିଯୋଗୁଁ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଥିବା ଟ୍ରେନ୍‌ ପୁନର୍ବାର ଚଳାଚଳ ଆରମ୍ଭ କରିଛି। ତେବେ ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଚାଲୁଥିବାରୁ ଆଜି ପାଇଁ କଟକ-ଭଦ୍ରକ-କଟକ ପାସେଞ୍ଜର୍‌, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଏବଂ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର୍‌ ଲିଙ୍କ୍‌ ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି।

Spread the love