April 20, 2024

Satya News

odia news channel

ବିନା ASI ଅନୁମତିରେ ଚାଲିଛି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ

 

ଭୁବନେଶ୍ୱର: ଐତିହ୍ୟ ପ୍ରକଳ୍ପ ନାଁରେ ରାଜ୍ୟ ସରକାରଙ୍କ ସୌନ୍ଦର୍ଯ୍ୟକରଣ କାମକୁ ନେଇ ଏଏସ୍‌ଆଇ ପ୍ରଶ୍ନ ଉଠାଇଛି।  ଅଭିଯୋଗ ହେଉଛି, ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରାଯାଉଛି। ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଏଏସଆଇର ଅନୁମତି ନେଇନାହାଁନ୍ତି। ଏନସିଆଣ୍ଟ ମନୁମେଣ୍ଟ ଆଣ୍ଡ ଆରକିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮ ଅନୁଯାୟୀ, ସଂରକ୍ଷିତ କୀର୍ତ୍ତୀରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ହେଉଛି ରେଗୁଲେଟେଡ୍ ଅଞ୍ଚଳ। ସଂରକ୍ଷିତ କୀର୍ତ୍ତିରାଜି ଅଞ୍ଚଳର ୩୦୦ ମିଟର ପରିସୀମାରେ ପୁନରୁଦ୍ଧାର ଏବଂ ମରାମତି ପାଇଁ ଅନୁମତି ଜରୁରୀ। ତେବେ ଏକାମ୍ର କ୍ଷେତ୍ର ବିକାଶ ନାଁରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି।

ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣକୁ ନେଇ ରାଜ୍ୟ ସରକାର ଯାହା କରିଛନ୍ତି, କେଉଁଠି ନା କେଉଁଠି ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରାଯାଇଥିବା ଆମେ ଅନୁମାନ କରୁଛୁ। ଯାହା କରିବା ପାଇଁ ରାଜ୍ୟ ସରକାର ଭାବୁଛନ୍ତି, ତାହାର ଏକ ପ୍ଲାନିଂ ଦାଖଲ କରିବା ଆବଶ୍ୟକ। କେନ୍ଦ୍ର ଠାରୁ ଅନୁମତି ମିଳିବା ଦରକାର କିନ୍ତୁ ତାହା ହୋଇନାହିଁ।    
-ଅରୁଣ ମଲ୍ଲିକ, ସୁପରିଟେଣ୍ଡେଣ୍ଟ, ଏଏସ୍‌ଆଇ

ଗତ କିଛି ଦିନ ହେଲା ପୁରୁଣା ଭୁବନେଶ୍ୱରର ଶୁକଶାରୀ ମନ୍ଦିର ଚାରିପାଖରେ ଖନନ ଚାଲିଛି ମାଟିତଳୁ ମନ୍ଦିରର ଭଗ୍ନାବଶେଷ ଓ ପ୍ରାଚୀନ କୀର୍ତ୍ତିରାଜି ମିଳିବାରେ ଲାଗିଛିି। ତେବେ ଖନନ ବେଳେ ଡ୍ରୋଜର ଓ ଅନ୍ୟ ଭାରି ଯାନ ମାଡରେ ବହୁ କୀର୍ତ୍ତିରାଜି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବିଶେଷଜ୍ଞ ଟିମ୍ ପଠାଇବାକୁ ଅନୁରୋଧ କରିଥିଲେ।

ଏହାରି ଭିତରେ ଏଏସଆଇର ଯୁଗ୍ମ ନିର୍ଦ୍ଦେଶକ ଆଜି ପହଞ୍ଚିଛନ୍ତି।  ସେ ଶୁକଶାରୀ ମନ୍ଦିର ଚତୁପାର୍ଶ୍ୱକୁ ବୁଲି ଦେଖି କହିଛନ୍ତି, କଣ କିର୍ତ୍ତୀରାଜି ଭାଙ୍ଗିଛି, ସେ ନେଇ ମନ୍ଦିରର ପୁରୁଣା ଫଟୋ ସହ ବର୍ତ୍ତମାନର ଫଟୋ ମ୍ୟାଚ୍ କରାଯିବ। ତେବେ ଖନନ ପୂର୍ବରୁ କୌଣସି ଅନୁମତି ASIକୁ ମଗାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।

ସେପଟେ ବିକାଶ ନାଁରେ ଐତିହ୍ୟର ବିନାଶ ନେଇ ଆପତ୍ତି ଉଠାଇଛି ଇନ୍ଟାକ୍ ଏହାର ସଭ୍ୟ ଅନୀଲ୍ ଧୀର୍ କହିଛନ୍ତି, ବିନା ଏକ୍ସପର୍ଟ କି ସ୍ଥାନୀୟ ଲୋକଙ୍କୁ ସାମିଲ କରି ହେଉଥିବା ସୌନ୍ଦର୍ଯ୍ୟକରଣ ଯୋଗୁଁ ଷଷ୍ଠ, ସପ୍ତମ ଶତାଦ୍ଦୀର ଐତିହ୍ୟ ବି ନଷ୍ଟ ହୋଇଯାଇଛି ଏଥିରେ ଗ୍ରାଉଣ୍ଡ ପେନେଟ୍ରେସନ୍ ରାଡାର ଭଳି ଟେକ୍ନିକ୍ ବ୍ୟବହାର କରି ମାଟିତଳ ଐତିହ୍ୟକୁ ସୁରକ୍ଷିତ ରଖାଯାଇପାରିଥାନ୍ତା ଏଥିପାଇଁ ସେ ASIକୁ ବି ଦୋଷ ଦେଇଛନ୍ତି।

ଆଜିର ଦିନରେ ୟୁନେସ୍କୋ ଗାଇଡଲାଇନ୍ କହୁଛି, ଯେକୌଣସି ହେରିଟେଜ୍ ସ୍ଥାନରେ ଯାହା ବି କାମ କରିବେ, ଜମିର ଏକ୍ସରେ କରିବା ଆବଶ୍ୟକ। ସେଠାରେ ଯେ ବହୁମୂଲ୍ୟ କୀର୍ତ୍ତୀରାଜ ରହିଛି, ଏହା ସେମାନଙ୍କୁ ଅଜଣା ଥିଲା। ଯାହାର ବଜାରରେ ମୂଲ୍ୟ ଲକ୍ଷାଧିକ ଟଙ୍କା। ସେମାନେ କୌଣସି ବିଶେଷଜ୍ଞଙ୍କ ମତାମତ ନେଇନାହାନ୍ତି। ଏହା ନିର୍ମାଣ କରିବା ନୁହେଁ ବରଂ ଐତିହ୍ୟକୁ ଧ୍ୱଂସ କରୁଛନ୍ତି। 
-ଅନୀଲ ଧୀର, ଇନଟାକ୍ ସଦସ୍ୟ

ଏକାମ୍ର କ୍ଷେତ୍ର ଐତିହ୍ୟର ସୁରକ୍ଷା ପାଇଁ ଇନଟାକ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୫ଟି ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ପୁରୁଣା ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ବୈତାଳ ମନ୍ଦିର, ପାପନାଶିନୀ ମନ୍ଦିର ଏବଂ ଶୁକଶାରୀ ଓ ଭବାନୀଶଙ୍କର ମନ୍ଦିରକୁ ନେଇ ଐତିହ୍ୟ କରିଡର କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି।

ସେପଟେ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ମଧ୍ୟରେ ପ୍ରାଚୀନ କୀର୍ତୀରାଜି ଅସୁରକ୍ଷିତ ହୋଇ ପଡିଥିବା ନେଇ ଦୁଇ ଦିନ ତଳେ ରାଜ୍ୟ ବିଜେପିର ଏକ ଟିମ୍ ଏଏସଆଇର ଓଡିଶା ମୁଖ୍ୟଙ୍କୁ ଭେଟିବା ସହ ଏକାମ୍ର କ୍ଷେତ୍ରର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ନେଇ ଦାବି ଉଠାଇଥିଲେ।

Spread the love