March 29, 2024

Satya News

odia news channel

ବଢ଼ିଛି ଚିଲିକାରେ ପକ୍ଷୀ ସଂଖ୍ୟା

ବାଲୁଗାଁ,୬/୧: ଶେଷ ହୋଇଛି ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା। ବିଗତବର୍ଷ ତୁଳନାରେ ଏହି ଲୁଣି ହ୍ରଦରେ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ଏଠାକୁ ୧୧ ପ୍ରଜାତିର ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି। ଏ ନେଇ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଞ୍ଜନ ହୋତା ରବିବାର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ନଳବଣରେ ସର୍ବାଧିକ ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ରହିଛନ୍ତି। ଚଳିତ ବର୍ଷ ବାଲୁଗାଁ ରେଞ୍ଜରେ ସର୍ବାଧିକ ଏବଂ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ରହିଛନ୍ତି। ତେବେ ଚିଲିକାର ବିଶେଷ ଶୋଭା ବର୍ଦ୍ଧନ କରୁଥିବା ସୁନ୍ଦର ତଥା ଆକର୍ଷଣୀୟ ଫ୍ଲେମିଂଗୋ ପକ୍ଷୀଙ୍କ ସଂଖ୍ୟା ଏବର୍ଷ ୧୩୫୦ ରହିଛି।

Bird count ends in chilika
Bird count ends in chilika

ସେହିଭଳି ଗଡଓ୍ଵାଲ ପକ୍ଷୀ ସର୍ବାଧିକ ୨ ଲକ୍ଷ ୫ ହଜାର ୮୮୩, ନର୍ଦନ ଟ୍ରିନଟେଲ ୧ ଲକ୍ଷ ୮୨ ହଜାର ୧୭୭ଟି ଏବଂ ଓ୍ଵିଜନ ୧ ଲକ୍ଷ ୪୩ ହଜାର ୪୧୮ ଥିବା ଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ୫୨ ହଜାର ଅଧିକ ପକ୍ଷୀ ଚିଲିକା ଆସିଥିବା ବନ୍ୟ ପ୍ରାଣୀ ଅଧିକାରୀ ଶ୍ରୀ ହୋତା ସୂଚନା ଦେଇଛନ୍ତି। ଏହି ପକ୍ଷୀଗଣନା କାର୍ଯ୍ୟରେ ୨୧ଟି ଦଳରେ ୧୫୦ ଜଣ ସଦସ୍ୟ ନିୟୋଜିତ ହୋଇଥିଲେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ଅଫ୍‌ ସୋସାଇଟି ବିଶେଷଜ୍ଞ ଏସ୍‌ ବାଳଚନ୍ଦ୍ରନ ଏହି କାର୍ଯ୍ୟର ଦିଗଦର୍ଶନ ଦେଇଥିଲେ। ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ାରେ ଏହି ଗଣନା କାର୍ଯ୍ୟ ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନୟ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ହୋଇଥିଲା।

Spread the love