March 27, 2024

Satya News

odia news channel

ବଜେଟ୍‌: ସୁଧୁରିବ କି ଅର୍ଥନୀତି, ହଟିବ କି ମାନ୍ଦାବସ୍ଥା!

ବଜେଟ୍‌: ସୁଧୁରିବ କି ଅର୍ଥନୀତି, ହଟିବ କି ମାନ୍ଦାବସ୍ଥା!

ଭୁବନେଶ୍ଵର(ଖବରଦାତା):

ଆସନ୍ତା ପହିଲାରେ ଆସୁଛି ବଜେଟ୍‌। ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ପୂର୍ଣ୍ଣାଙ୍ଗ ବଜେଟ୍‌। ତେବେ ଦେଶରେ ସମ୍ପ୍ରତି ମାନ୍ଦାବସ୍ଥା, ଅଭିବୃଦ୍ଧି ହ୍ରାସକୁ ନେଇ ବିଭିନ୍ନ ମହଲରେ ଚିନ୍ତା ଓ ଚର୍ଚ୍ଚା ଲାଗି ରହିଥିବାବେଳେ ବଜେଟ୍‌ କିଭଳି ହେବ ସେ ନେଇ ସବୁ ବର୍ଗରେ ଉତ୍ସୁକତା ପ୍ରକାଶ ପାଇଛି। ବଜେଟ୍‌ ହିଁ ସାମ୍ପ୍ରତିକ ସ୍ଥିତି ସୁଧାରିବା ସହ ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିବ। ତେଣୁ ଏଥର ସୁଧୁରିବ କି ଅର୍ଥନୀତି ଆଉ ହଟିବ କି ମାନ୍ଦାବସ୍ଥା- ଏଇ ପ୍ରଶ୍ନ ବିଶେଷଜ୍ଞ ମହଲରେ ଉଠିଛି। ଅନ୍ୟପକ୍ଷରେ କେତେକ ବିଶେଷ କାରଣରୁ ବଜେଟକୁ ନେଇ ସାଧାରଣରେ ଆଲୋଚନା ସରଗରମ ହୋଇଛି। ଆସନ୍ତୁ ଜାଣିବା ଆଲୋଚନା କାହିଁକି?

ନମ୍ବର -୧

ମାନ୍ଦାବସ୍ଥାରୁ ଏଫ୍ଏମସିଜି ଏବଂ ରିଅଲ୍‌ ଇଷ୍ଟେଟ୍ ପ୍ରଭାବିତ

ସମ୍ପ୍ରତି ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଏହା ବିଭିନ୍ନ କ୍ଷେତ୍ରକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଏଭଳି ସନ୍ଧିକ୍ଷଣରେ ଏଫଏମସିଜି କ୍ଷେତ୍ର ମଧ୍ୟ ଭଲ ସ୍ଥିତିରେ ନାହିଁ।  ଅଭିବୃଦ୍ଧି ଦ୍ରୁତ ହାରରେ ହ୍ରାସ ପାଇଛି ବୋଲି ମାର୍କେଟ୍ ରିସର୍ଚ୍ଚ ସଂସ୍ଥା ନେଲସେନ୍ ପକ୍ଷରୁ କୁହାଯାଇଛି । ୨୦୧୮ରେ ଏହି କ୍ଷେତ୍ରର ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଥିଲା ବେଳେ ୨୦୧୯ରେ ଏହା ୯.୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଏହି ସଂସ୍ଥା ପ୍ରକାଶ କରିଛି । ମାନ୍ଦାବସ୍ଥାକୁ ନେଇ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଏଫ୍ଏମସିଜି ଉତ୍ପାଦଗୁଡିକର ଚାହିଦା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି । ଅନ୍ଲାଇନ୍ ବ୍ୟବସାୟ ସୂତ୍ରରେ ପୂର୍ବାପେକ୍ଷା ଏହି ସମାଗ୍ରୀଗୁଡିକର ବିପଣନ ବଢିଥିବା ସତ୍ତେ୍ୱ ହାରାହାରି ଅଭିବୃଦ୍ଧି ଗତ ବର୍ଷ ତୁଳନାରେ ହ୍ରାସ ପାଇଥିବା କୁହାଯାଇଛି। ଅନୁରୂପ ଭାବେ ରିଅଲ ଇଷ୍ଟେଟ କ୍ଷେତ୍ର ଭାରି ମାତ୍ରାରେ ପ୍ରଭାବିତ ହୋଇଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ଏକ୍ଷେତ୍ରର ହାରାହାରି ଅଭିବୃଦ୍ଧି ସଙ୍କୁଚିତ ହୋଇଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ(ଅକ୍ଟୋବର-ଡିସେମ୍ବର)ରେ ଦେଶର ୯ଟି ପ୍ରମୁଖ ସହରରେ ମୋଟ ୬୦,୪୫୩ଟି ଗୃହ ବିକ୍ରି ହୋଇଥିବା ବେଳେ ଗତ ବର୍ଷ ତୁଳନାରେ ୯ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି । ମୁମ୍ବାଇ, ଥାନେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ନଏଡା,ଗୁରୁଗ୍ରାମ ଏବଂ ପୁନେ ଭଳି ସହରଗୁଡିକରେ ରିଅଲ ଇଷ୍ଟେଟ କ୍ଷେତ୍ରର ଚାହିଦା ସର୍ବାଧିକ ରହିଥିଲା ବେଳେ ଏହିସବୁ ସହରଗୁଡିକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଅନ୍ୟ କେତେକ ପ୍ରମୁଖ ସହରମାନଙ୍କରେ ଗୃହ ବିକ୍ରି କ୍ଷେତ୍ରରେ ୩୦ ପ୍ରତିଶତ ହ୍ରାସ ଘଟିଛି ବୋଲି କୁହାଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଉପରୋକ୍ତ ତ୍ରୈମାସିକରେ ପୁନେ ସହରରେ ଗୃହ ବିକ୍ରି ହାର ୯ ପ୍ରତିଶତ ହ୍ରାସ ପାଇଥିଲା ବେଳେ ଥାନେ ଏବଂ ହାଇଦ୍ରାବାଦରେ ବିକ୍ରି ହାର ୧୬ ପ୍ରତିଶତ ହ୍ରାସ ପାଇଛି । ସେହପରି ମୁମ୍ବାଇରେ ୧୨ ପ୍ରତିଶତ, ଗୁରୁଗ୍ରାମରେ ୧୯ ପ୍ରତିଶତ ଏବଂ ଚେନ୍ନାଇରେ ଗୃହ ବିକ୍ରିରେ ୧୪ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଇଛି।

ନମ୍ବର -୨

ମାନ୍ଦାବସ୍ଥା ଅସ୍ଥାୟୀ ବୋଲି କହିଲେ ଆଇଏମଏଫ ନିର୍ଦ୍ଦେଶକ

ଭାରତରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଅସ୍ଥାୟୀ । ଖୁବଶୀଘ୍ର ଆଗକୁ ଏଥିରେ ସୁଧାର ଆସିବା ଆଶା କରାଯାଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭା ଏଭଳି ସୂଚନା ଦେଇଛନ୍ତି। ବିଶ୍ୱ ଆର୍ଥିକ ମଞ୍ଚ-୨୦୨୦କୁ ସମ୍ବୋଧିତ କରିବା ଅବସରରେ କ୍ରିଷ୍ଟାଲିନା କହିଲେ ଯେ ୨୦୧୯ ଅକ୍ଟୋବରରେ ଆଇଏମ୍ଏଫ୍  ପକ୍ଷରୁ ଆକଳନ କରାଯାଇଥିବା ବିଶ୍ଵର ଆର୍ଥିକ ପରିସ୍ଥିତି ତୁଳନାରେ ୨୦୨୦ ଜାନୁଆରୀରେ ତାହା ଖୁବ୍ ଉନ୍ନତି ସ୍ଥିତିରେ ରହିଛି। କିନ୍ତୁ ସତ କଣ ….?

ନମ୍ବର -୩

ମାନ୍ଦାବସ୍ଥା ମାଡ଼ ଯୋଗୁ କମିବ ପ୍ରତ୍ୟକ୍ଷ ଟିକସ ଆଦାୟ

ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିର ବିଭିନ୍ନ ଦିଗ ପ୍ରଭାବିତ ହୋଇଥିଲାବେଳେ ୨୦୧୯-୨୦ ଆର୍ଥିକ ବର୍ଷର ବିଭିନ୍ନ ଦିଗର ଲକ୍ଷ୍ୟପୂରଣ ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚାଲେଞ୍ଜ ହୋଇଛି । ଗୋଟିଏ ପକ୍ଷରେ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିଲଗାଣ ପ୍ରକ୍ରିୟାକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରିଥିଲେ। ଏହି ଲକ୍ଷ୍ୟରେ ଗତ ବଜେଟରେ କେନ୍ଦ୍ର ସରକାର କମ୍ପାନୀ ଟିକସରେ ହ୍ରାସ ଘୋଷଣା କରିଥିଲେ। କିନ୍ତୁ ଏହାକୁ ନେଇ ସରକାରଙ୍କ ଉପରେ ଅତିରିକ୍ତ ବୋଝ ସୃଷ୍ଟି ହୋଇଥିଲା ବେଳେ କମ୍ପାନୀ ଟିକସ ଏବଂ ଆୟକର ଆଦାୟରେ ହ୍ରାସ ଘଟିଛି। ଯାହାକି ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଟିକସ ବୋର୍ଡର ବହୁ ବରିଷ୍ଠ ଅଧିକାରୀ ରଏଟରକୁ ସୂଚନା ଦେଇ କହିଛନ୍ତି। ପ୍ରକାଶଯୋଗ୍ୟ ଯେ, ୨୦୧୮-୧୯ ତୁଳନାରେ ୧୭ ପ୍ରତିଶତ ଅଭିବୃଦ୍ଧିରେ ୨୦୧୯-୨୦ ବର୍ଷରେ ମୋଟ ୧୩.୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ  ଭାବେ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଚଳିତ ମାସ ୨୩ ତାରିଖ ସୁଦ୍ଧା ଟିକସ ବିଭାଗ ପକ୍ଷରୁ ମାତ୍ର ୭.୩ ଳକ୍ଷ କୋଟି ଟଙ୍କା ଆଦାୟ କରାଯାଇଛି। ଯାହାକି ବିଗତ ଆର୍ଥିକ ବର୍ଷର ଏହି ଅବଧିରେ ଆଦାୟ ପରିମାଣ ତୁଳନାରେ ୫.୫ ପ୍ରତିଶତ କମ୍ ରହିଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ରହିଥିଲା ବେଳେ ଟିକସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ଅସମ୍ଭବ ବୋଲି କୁହାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସିକ ପାଇଁ କମ୍ପାନୀମାନଙ୍କ ଠାରୁ ଆଗୁଆ ଟିକସ ଆଦାୟ କରାଯାଇସାରିଥିଲେ ହେଁ ଏହା ବାର୍ଷିକ  ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟର ୩୦ ରୁ ୩୫ ପ୍ରତିଶତ ବୋଲି କୁହାଯାଇଛି। ଟିକସ ସଂଗ୍ରହ ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀମାନେ ଯଥାସାଧ୍ୟ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୨୦୧୮-୧୯ ବର୍ଷରେ ଆଦାୟ ହୋଇଥିବା ମୋଟ ୧୧.୫ ଲକ୍ଷ କୋଟି ଟଙ୍କା ତୁଳନାରେ ହ୍ରାସ ପାଇବ ବୋଲି  ବିଭାଗୀୟ ଅଧିକାରୀମାନେ ରଏଟରକୁ କହିଛନ୍ତି। ତେଣୁ ହାରାହାରି ଭାବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ମୋଟ ରାଜସ୍ୱ ମଧ୍ୟରୁ ୮୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଟିକସ ସୂତ୍ରରୁ ଆସିଥାଏ । କିନ୍ତୁ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ପାଇବା ଯୋଗୁଁ ବ୍ୟବସାୟ ବାଣିଜ୍ୟରେ ହ୍ରାସ ଘଟିବା ସହିତ ନିଯୁକ୍ତିରେ ମଧ୍ୟ ହ୍ରାସ ଘଟିଥିବାରୁ ଚଳିତ ବର୍ଷ ଟିକସ ଆଦାୟ ହ୍ରାସ ପାଇଥିବା କୁହାଯାଇଛି। ଏହାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ବିଶେଷକରି ସରକାରୀ ବ୍ୟୟ ଯୋଜନାକୁ ନେଇ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥିଲାବେଳେ ସରକାର ପୁଣି ଋଣ କରିବାକୁ ବାଧ୍ୟ ହେବେ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।ନମ୍ବର -୪

ଜାନୁଆରୀ ସୁଦ୍ଧା କମିଛି ଟିକସ ଆଦାୟ

ଗତ ଏପ୍ରିଲ ପହିଲାରୁ ଜାନୁଆରୀ ୨୫ ସୁଦ୍ଧା ମୋଟ ୭.୩ ଲକ୍ଷ କୋଟି ଟିକସ ଆଦାୟ ହୋଇଛି। ଯାହାକି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୫.୪ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି। ଗତ ବର୍ଷ ଟିକସ ଆଦାୟ ପରିମାଣ ୭.୭ ଲକ୍ଷ କୋଟି ଟଙ୍କା ରହିଥିଲା। ତେବେ ବ୍ୟକ୍ତିଗତ ଆୟକର, କମ୍ପାନୀ ଟିକସ ଏବଂ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟିକସ ଆଦିରେ ଚଳିତ ବର୍ଷ ହ୍ରାସ ପରିଲକ୍ଷିତ ହୋଇଛି। ପ୍ରକାଶଯୋଗ୍ୟ ଯେ, ୨୦୧୮-୧୯ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଭିବୃଦ୍ଧିରେ ୨୦୧୯-୨୦ ବର୍ଷରେ ମୋଟ ୧୩.୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ ଟିକସ  ଭାବେ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ  ବିଭିନ୍ନ କାରଣକୁ ନେଇ ଟିକସ ଆଦାୟ ହ୍ରାସ ପାଇ ଚାଳିଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛି । ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ରହିଥିଲା ବେଳେ ଟିକସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା ଅସମ୍ଭବ ବୋଲି କୁହାଯାଇଛି । ହାରାହାରି ଭାବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ଟିକସ ବୋର୍ଡ ପକ୍ଷରୁ ଆକଳନ କରାଯାଇଛି । ମୋଟ ରାଜସ୍ୱ ମଧ୍ୟରୁ ୮୦ ପ୍ରତିଶତ ଅର୍ଥ ପ୍ରତ୍ୟକ୍ଷ ଟିକସ ସୂତ୍ରରୁ ଆସିଥିଲା ବେଳେ ସାମ୍ପ୍ରତିକ ମାନ୍ଦାବସ୍ଥାକୁ ନେଇ ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ପାଇବା ସହିତ ନିଯୁକ୍ତିରେ ମଧ୍ୟ ହ୍ରାସ ଘଟିଥିବାରୁ ଚଳିତ ବର୍ଷ ଟିକସ ଆଦାୟ କମିଥିବା କୁହାଯାଇଛି। ସୂଚନା ଅନୁସାରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିର ବିଭିନ୍ନ ଦିଗ ପ୍ରଭାବିତ ହୋଇଥିଲା ବେଳେ ଗତ ୨୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି ପ୍ରଥମ ଘଟଣା ବୋଲି କେନ୍ଦ୍ରୀୟ ଟିକସ ବୋର୍ଡ ପକ୍ଷରୁ କୁହାଯାଇଛି।

ନମ୍ବର -୫

ଆମଦାନୀ ସାମଗ୍ରୀରେ ବଢ଼ିବ ଶୁଳ୍କ

ବିଭିନ୍ନ ରାଷ୍ଟ୍ରରୁ ଦେଶକୁ ଆମଦାନୀ କରାଯାଉଥିବା କେତେକ ସମାଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ଘୋଷଣା କରିପାରନ୍ତି ବୋଲି ବିଶେଷସୂତ୍ରରୁ କୁହାଯାଇଛି। ବିଶେଷକରି ଚୀନରୁ ସର୍ବାଧିକ ଭାବେ ଆମଦାନୀ କରାଯାଉଥିବା ଇଲେକ୍ଟ୍ରାନିକ୍ସ ଓ ଇଲେକ୍ଟ୍ରିକାଲ ସାମଗ୍ରୀ, ରାସାୟନିକ ଦ୍ରବ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ଆଦି କ୍ଷେତ୍ରରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି । ଚୀନରୁ ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ଭାରତକୁ ମୋବଇଲ ଫୋନ ଚାର୍ଜର, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ, ଇଲେକ୍ଟ୍ରିକାଲ ଲ୍ୟାମ୍ପ, କାଠ ଆସବାବପତ୍ର, ମହମବତୀ, ଜୁଏଲାରୀ ଏବଂ ବିଭିନ୍ନ କିସମର ହସ୍ତଶିଳ୍ପ ସାମଗ୍ରୀ ଆମଦାନୀ କରାଯାଉଥିବାବେଳେ ଏହା ଘରୋଇ ଶିଳ୍ପକ୍ଷେତ୍ର ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି। ଗୋଟିଏପକ୍ଷରେ ମାନ୍ଦାବସ୍ଥାକୁ ନେଇ ଦେଶର ଅଭିବୃଦ୍ଧି ପ୍ରକ୍ରିୟା ଶିଥିଳ ହୋଇପଡ଼ିଥିବାବେଳେ ସର୍ବାଧିକ ଆମଦାନୀ ମଧ୍ୟ ବିତ୍ତୀୟ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତେଣୁ ସବୁଦୃଷ୍ଟିରୁ ବିଚାର କରି ପ୍ରାୟ ୭୫ଟି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି କୁହାଯାଇଛି। ଏଥିରେ ସୁନା ସମେତ ଅଟୋମୋବାଇଲ୍ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

 ଉପରୋକ୍ତ କାରଣ ଦୃଷ୍ଟିରୁ ନିଶ୍ଚିତ ଭାବେ ସରକାର ଅର୍ଥନୀତି ସୁଧାରିବେ ବୋଲି ଅନୁମାନ କରାଯାଉଛି।

-ଏସପିଡିଏମ

Spread the love