March 27, 2024

Satya News

odia news channel

ସିଆଚେନ ଯବାନଙ୍କୁ ମିଳୁନି ଭଲ ଖାଦ୍ୟ, ବସ୍ତ୍ର: ସିଏଜି ରିପୋର୍ଟ

ଖଣ୍ଡନ କଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । କହିଲେ, ଏଇଟା ୫ ବର୍ଷ ପୁରୁଣା ରିପୋର୍ଟ
ନୂଆଦିଲ୍ଲୀ: ସିଆଚେନ ଓ ଡୋକଲାମ ଭଳି ଅତି ପ୍ରତିକୂଳ ସ୍ଥାନରେ ମୁତୟନ ଭାରତୀୟ ଯବାନମାନଙ୍କୁ ଉତ୍ତମ ଖାଦ୍ୟ, ପୋଷାକପତ୍ର ଓ ଉପକରଣ ଯୋଗାଇ ଦିଆଯାଉ ନାହିଁ । ସିଏଜି ରିପୋର୍ଟରୁ ଏହି ବିଷୟ ପ୍ରଘଟ ହେବା ପରେ ଯବାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ଚାରିଆଡ଼େ ନାନା ଚର୍ଚ୍ଚା ଜୋର ଧରିଛି । ହେଲେ ଏହାକୁ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ୫ ବର୍ଷ ପୁରୁଣା ରିପୋର୍ଟ ବୋଲି ଖଣ୍ଡନ କରିବା ସହ ଭାରତୀୟ ସେନା ବର୍ତ୍ତମାନ ଭଲ ସ୍ଥିତିରେ ଥିବା ସ୍ପଷ୍ଟ କରିଛନ୍ତି ।


ଫେବୃୟାରୀ ୩ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ପରୀକ୍ଷକ (ସିଏଜି) ରିପୋର୍ଟରେ ଦାବି କରାଯାଇଛି ଯେ, ସିିଆଚେନ ଓ ଡୋକଲାମ ଭଳି ଅତ୍ୟୁଚ୍ଚ ସ୍ଥାନରେ ଅତି ଥଣ୍ଡା ପରିବେଶରେ ଜାଗ୍ରତ ପ୍ରହରୀ ଭାବେ ନିୟୋଜିତ ଭାରତୀୟ ଯବାନମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଅ।ଯାଉଥିବା ଖାଦ୍ୟ, ପାନୀୟ, ପୋଷାକପତ୍ର ନିମ୍ନମାନର । ଏଥିଯୋଗୁ ସୀମାନ୍ତରେ ଯବାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି । ଏପରି କି ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ଆବଶ୍ୟକ ସ୍ନୋ ଗ୍ଲାସ, ବୁଟ, ମାସ୍କ, ଜ୍ୟାକେଟ ଓ ଅନ୍ୟ ଜରୁରୀ ଉପକରଣ ମଧ୍ୟ ମିଳୁନାହିଁ ବୋଲି ୨୦୧୭-୧୮ର ସିଏଜି ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହାକୁ ମଙ୍ଗଳବାର ଖଣ୍ଡନ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ  ନରୱାଣେ । ସେ କହିଛନ୍ତି, ଏହି ସିଏଜି ରିପୋର୍ଟ ବର୍ତ୍ତମାନର ସ୍ଥିତିକୁ ନେଇ ନୁହେଁ, ବରଂ ୨୦୧୫-୧୬ର ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି । ସିଆଚେନକୁ ଯାଉଥିବା ପ୍ରତ୍ୟେକ ଯବାନଙ୍କୁ ଏବେ ବ୍ୟକ୍ତିଗତ ପୋଷାକ ବାବଦରେ ପ୍ରାୟ ୧ ଲକ୍ଷ ଟଙ୍କା ଦିଆଯାଉଛି ।

Spread the love