April 17, 2024

Satya News

odia news channel

କେଜରିୱାଲଙ୍କୁ ହରାଇ ପାରବେ ମୋଦି?

ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜରିୱାଲଙ୍କ ସାମ୍ନାରେ କିଏ?
ନୂଆଦିଲ୍ଲୀ,୨୬ ।୧:
ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବ । ସମସ୍ତ ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ହେବ । ୧୧ ତାରିଖରେ ଭୋଟ ଗଣତି କରାଯିବ । ଗତ ନିର୍ବାଚନରେ ଏଏପିକୁ ୬୭ ଆସନରେ ସଫଳତା ମିଳିଥିଲା । ବିଜେପିକୁ ମାତ୍ର ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସ ଖାତା ଖୋଲିବାକୁ ବି ସକ୍ଷମ ହୋଇ ନଥିଲା । ୨୦୧୯ ମେ’ରେ ସାଧାରଣ ନିର୍ବାଚନ ବେଳେ ଦିଲ୍ଲୀ  ଭୋଟରଙ୍କ ସଂଖ୍ୟାରେ ୩,୭୫,୦୦୦ ବୃଦ୍ଧି ପାଇ ଏବେ ଏହା ୧,୪୬,୯୨,୧୩୬ରେ ପହଂଚିଛି । ୨,୬୮୯ ସ୍ଥାନରେ ୧୩,୭୫୦ ମତଦାନ କେନ୍ଦ୍ର କରାଯାଇଛି । ଏଥର ୨,୦୮,୮୮୩ ଭୋଟରଙ୍କ ବୟସ ୧୮-୧୯ ବର୍ଷ ମଧ୍ୟରେ, ଯେଉଁମାନେ ପ୍ରଥମଥର ମତଦାନ କରିବାକୁ ଯାଉଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏଥର ଆମ ଆଦମୀ ପାର୍ଟି(ଏଏପି) ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସାମ୍ନାରେ କିଏ ଅଛନ୍ତି? ଏଏପି ମଧ୍ୟ ଲଗାତର ବିଜେପିକୁ ଏହି ପ୍ରଶ୍ନ କରିଆସୁଛି ଯେ, ଦିଲ୍ଲୀରେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? କିନ୍ତୁ ବିଜେପି ଏହାର ଉତ୍ତର ଦେଇପାରୁ ନାହିଁ । ସମୀକ୍ଷକଙ୍କ ମତରେ ମୋଦି ବନାମ କେଜରିୱାଲ ନିର୍ବାଚନ ହେଉ ବୋଲି ବିଜେପି ଚାହୁଁଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ହେବାର ନାହିଁ । ବିଜେପି କେଜରିୱାଲଙ୍କ ଆଗରେ କାହାକୁ ପ୍ରେଜେକ୍ଟ ନକରିବା ଯାଏ କେଜରିୱାଲ ବନାମ କିଏ ପ୍ରଶ୍ନ ଅନୁତ୍ତରିତ ହୋଇ ରହିବ । ଏଥର ନିର୍ବାଚନ କେଜରିୱାଲ ବନାମ କେଜରିୱାଲ ହେଉଛି । କାରଣ ୨୦୧୫ରେ କେଜରିୱାଲ ଜଣେ ବିଦ୍ରୋହୀ ଥିଲେ, ଯିଏକି ରାସ୍ତା ଉପରେ ବସି ଆନ୍ଦୋଳନ କରୁଥିଲେ । ଏବେ ସେ ନିଜ ସରକାରର ୫ ବର୍ଷର କାମ ଆଧାରରେ ନିର୍ବାଚନ ଲଢ଼ୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସେତେବେଳେ ଅନେକ ନିର୍ବାଚନୀ ସଭା କରିଥିଲେ । ଏହାସତ୍ତ୍ୱେ ତାଙ୍କ ଦଳକୁ ମାତ୍ର ୩ ଆସନରେ ସଫଳତା ମିଳିଥିଲା । ଏଥର ସେ ଅନେକ ସଭାକୁ ସମ୍ବୋଧିତ କରିବେ । ବଡ଼ କଥା ହେଲା ଏଥର ମୋଦି ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିପାରିବେ କି? ଏହାର ଉତ୍ତର ବିଜେପିକୁ ନିରାଶ କରିପାରେ । କାରଣ ଦିଲ୍ଲୀ ଭୋଟରଙ୍କୁ ଜଣାଅଛି ଯେ ମୋଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ୨୦୧୪ ସାଧାରଣ ନିର୍ବାଚନରେ ଲୋକେ କହୁଥିଲେ ପାର୍ଲାମେଣ୍ଟ ନିର୍ବାଚନରେ ମୋଦି ଓ ଦିଲ୍ଲୀ ନିର୍ବାଚନରେ କେଜରିୱାଲଙ୍କୁ ଭୋଟ ଦେବୁ ।
୨୦୧୫ ନିର୍ବାଚନରେ ବିଜେପିକୁ ୩୨% ଭୋଟ ମିଳିଥିଲା, ଯାହାକି ୨୦୧୩ ବିଧାନସଭା ନିର୍ବାଚନଠାରୁ ୧% କମ । କିନ୍ତୁ ୨୦୧୩ରେ ବିଜେପିକୁ ୩୧ ଆସନ ମିଳିଥିବାବେଳେ ୨୦୧୫ରେ ମାତ୍ର ୩ ସିଟରେ ସଫଳତା ମିଳିଥିଲା । ଅର୍ଥାତ ଦିଲ୍ଲୀ ଭୋଟରଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ବିଜେପିରେ ନିର୍ବାଚନୀ ବୈତରଣୀ ପାର କରାଇବା ଭଳି ଚେହେରା ନାହିଁ । ଯେଉଁ ଚେହେରା ଅଛନ୍ତି ସେମାନେ ଲୋକଙ୍କୁ ଆକର୍ଷିତ କରିପାରୁ ନାହାନ୍ତି । ତେଣୁ ମତଦାତା ବିଚାର କରନ୍ତି ଯେ ଜାତୀୟ ସ୍ତରରେ ଯେପରି ମୋଦିଙ୍କ ବିକଳ୍ପ ନାହିଁ, ଠିକ ସେମିତି ଦିଲ୍ଲୀରେ କେଜରିୱାଲଙ୍କ ବିକଳ୍ପ ନାହିଁ । ମନୋଜ ତିୱାରୀ, ହର୍ଷବର୍ଦ୍ଧନ, ବିଜୟ ଗୋୟଲ ଓ ମୀନାକ୍ଷୀ ଲେଖିଙ୍କ ଭଳି କେତେଜଣ ବିଜେପି ନେତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କେହି କେଜରିୱାଲଙ୍କୁ ମାତ ଦେଇପାରିବେ ନାହିଁ । ସେହିପରି ବିଜେପିରେ ଟିକେଟ ବଣ୍ଟନକୁ ନେଇ ମଧ୍ୟ ମତଭେଦ ରହିଛି । ପୂର୍ବାଞ୍ଚଳ ଭୋଟରଙ୍କ ଉପରେ ଅଧିକ ନିର୍ଭରଶୀଳ ହେବା ବିଜେପି ପାଇଁ କ୍ଷତିକାରକ ହୋଇପାରେ । ଅନୁରୂପ ଭାବେ କଂଗ୍ରେସରେ ମଧ୍ୟ କେଜରିୱାଲଙ୍କୁ ଟକ୍କର ଦେବା ଭଳି କେହି ନେତା ନାହାନ୍ତି ବୋଲି ଭୋଟର ବିବେଚନା କରନ୍ତି । ଏଥିଲାଗି ଏଥର ବି କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନାମରେ ନିର୍ବାଚନ ଲଢ଼ୁଛି । ଦୁଇ ଦଳରେ ନେତୃତ୍ୱ ସଂକଟକୁ ଦୃଷ୍ଟିରେ ରଖି ବିଶ୍ଳେଷକମାନେ କହୁଛନ୍ତି, ଏହି ନିର୍ବାଚନ କେଜରିୱାଲ ବନାମ କେହି ନୁହନ୍ତି । ତେବେ ଭୋଟରଙ୍କ ମନରେ କ’ଣ ରହିଛି ତାହା ଫେବୃୟାରୀ ୧୧ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ ।
Spread the love