March 29, 2024

Satya News

odia news channel

କରୋନା ନେଲାଣି ୫୬ ମୁଣ୍ଡ

କରୋନାରେ ୧୯୭୫ ସଂକ୍ରମିତ, ୩୨୪ ସଙ୍କଟାପନ୍ନ: ବଂଚିହେବ କିପରି?


ବେଜିଂ,୨୬ ।୧: ଚୀନରେ କରୋନା ଭାଇରସର ପ୍ରକୋପ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୬ରେ ପହଂଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧,୯୭୫ । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ରବିବାର ଏହି ସୂଚନା ଦେଇଛି । ସମାଚାର ଏଜେନ୍ସୀ ସନହୁଆ ଅନୁସାରେ ୧,୯୭୫ ସଂକ୍ରମିତଙ୍କ ମଧ୍ୟରୁ ୩୨୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଇତିମଧ୍ୟରେ କରୋନା ଭାଇରସର ୨,୬୮୪ ସନ୍ଦିଗ୍ଧ ମାମଲା ବି ସାମ୍ନାକୁ ଆସିଲାଣି । ଏହି ସଂକ୍ରମଣ ଏବେ ଆଉ କେବଳ ଚୀନରେ ସୀମିତ ହୋଇ ରହିନାହିଁ । ଭାରତ ସମେତ ଫ୍ରାନ୍ସ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଆମେରିକା, ଭିଏତନାମ, ସିଙ୍ଗାପୁର, ନେପାଳ, ହଂକଂ ଓ ତାଇୱାନକୁ ବ୍ୟାପିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଅନୁସାରେ କରୋନା ଭାଇରସର ରୋଗୀକୁ ଶର୍ଦି ସହ ଜ୍ୱର ଓ ଥକି ପଡ଼ିବା, ଖାସ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାବେଳେ ଅସୁବିଧା ହୋଇଥାଏ । ଡବ୍ଲୁଏଚଓ ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଥିବାବେଳେ ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି ।
କରୋନା ଭୂତାଣୁରୁ ରକ୍ଷା ପାଇବେ କିପରି?
ଏହି ଭାଇରାସର କୌଣସି ଔଷଧ ବାହାରି ନ ଥିବାରୁ ଏଥିରୁ ବର୍ତ୍ତିବା ପାଇଁ କେବଳ କେତେକ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି ।
୧. ଯେଉଁମାନଙ୍କୁ ଥଣ୍ଡା ହୋଇଛି ବା ଯାହାଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉଛି ତାଙ୍କଠାରୁ ଦୂରେଇ ରୁହନ୍ତୁ ।
୨. ଖାଇବା ପୂର୍ବରୁ ବା ମୁହଁରେ ହାତ ମାରିବା ପୂର୍ବରୁ ସାବୁନ କିମ୍ବା ହ୍ୟାଣ୍ଡୱାଶରେ ଭଲଭାବେ ହାତକୁ ସଫା କରନ୍ତୁ ।
୩. କାଶିବା ବା ଛିଙ୍କିବା ବେଳେ ମୁହଁରେ ରୁମାଲ କିମ୍ବା ମୋଟା କପଡ଼ା ବ୍ୟବହାର କରନ୍ତୁ ।
୪. ଖାଦ୍ୟକୁ ଭଲଭାବେ ଗରମ କରି ଖାଆନ୍ତୁ । ମାଂସ କିମ୍ବା ଅଣ୍ଡା ଖାଉଥିଲେ ତାକୁ ଅଧିକ ଗରମ କରନ୍ତୁ ।
୫. ପଶୁପକ୍ଷୀଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ।

Spread the love