April 17, 2024

Satya News

odia news channel

ଦୀପିକା ପାଦୁକୋଣ: ବେପାର ଜଣା, ରାଜନ କହିଲେ ପ୍ରେରଣା

ଦୀପିକା ପାଦୁକୋଣ: 
ବେପାର ଜଣା, ରାଜନ କହିଲେ ‘ପ୍ରେରଣା’

ନୂଆଦିଲ୍ଲୀ, ୧୧/୧:
ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ରବିବାର ଯାହା ଘଟିଗଲା, ପୂର୍ବରୁ କେବେ ସେପରି ଦେଖିବାକୁ ମିଳି ନଥିଲା । ମୁଖାପିନ୍ଧା ବ୍ୟକ୍ତିମାନେ କ୍ୟାମ୍ପସ ଭିତରକୁ ପଶି ଛାତ୍ର-ଶିକ୍ଷକଙ୍କୁ ଆକ୍ରମଣ କଲେ । ଏହାକୁ ନେଇ ଜାତୀୟ ରାଜନୀତିର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ରାଜଧାନୀର ରେକର୍ଡ ଭଙ୍ଗା ଶୀତକୁ ବି ଫାଙ୍କିଦେଇଛି । ଜେଏନୟୁ ହିଂସା ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପର୍ଯ୍ୟାୟକ୍ରମେ ଅନେକ ବ୍ୟକ୍ତି ଓ ସଙ୍ଗଠନ ଲୋକଲୋଚନକୁ ଆସୁଛନ୍ତି, ଯେଉଁମାନଙ୍କର କି ନାମ ଗ୍ରାମ ପୂର୍ବରୁ କେହି କେବେ ଶୁଣି ନଥିଲେ । ଏହି ସମୟରେ ସବୁଠୁ ବେଶି ଚର୍ଚ୍ଚା ସାଉଁଟିଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋଣ । କାରଣ ସେ ମଙ୍ଗଳବାର ରାତି ସାଢ଼େ ୭ଟାରେ ହଠାତ ଜେଏନୟୁ କ୍ୟାମ୍ପସକୁ ଯାଇ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପାଖରେ ଛିଡ଼ା ହୋଇଥିଲେ । ବାସ୍ ବିବାଦର କାରଣ ଏତିକି । କ୍ୟାମ୍ପସରେ ଦୀପିକାଙ୍କ ଉପସ୍ଥିତିକୁ ନେଇ ବିଜେପି ନେତାମାନେ ତାଙ୍କୁ କଂଗ୍ରେସିଆ ବୋଲି ସମାଲୋଚନା କରୁଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦୀପିକା ବିରୋଧୀ ମନ୍ତବ୍ୟ ଅଭିନେତ୍ରୀଙ୍କ ଟିଆରପି ବଢ଼ାଇବାରେ ସହାୟକ ହୋଇଛି । ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଇରାନୀ କହିଛନ୍ତି, ଦେଶକୁ ବିଭାଜିତ କରିବାକୁ ଚାହୁଁଥିବା ଲୋକଙ୍କ ସହିତ ଦୀପିକା ରହିଛନ୍ତି । ସେ କାହା ସାଙ୍ଗରେ ଅଛନ୍ତି ଆମେ ଜାଣିଛୁ । ସେ କଂଗ୍ରେସକୁ ସମର୍ଥନ କରନ୍ତିି ବୋଲି ୨୦୧୧ରେ ନିଜେ ହିଁ ଜଣାଇଦେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୁରୁଣା ସାକ୍ଷାତକାରକୁ ନେଇ ଇରାନୀ ଏପରି କହିଛନ୍ତି, ଯେଉଁଥିରେ କି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସେ ପ୍ରଶଂସା କରୁଥିôବା ଦେଖିବାକୁ ମିଳିଛି । କିଏ ତାଙ୍କୁ କଂଗ୍ରେସ ଦଳର ବୋଲି କହୁଥିବାବେଳେ ଆଉ କେତେକେ ବାମପନ୍ଥୀଙ୍କ ସହ ଦୀପିକାଙ୍କ ଭିତିରି ସମ୍ପର୍କ ଥିବା ଆଲୋଚନା କରୁଛନ୍ତି । ଫିଲ୍ମ ପ୍ରମୋଶନ ପାଇଁ ସେ ଜେଏନୟୁକୁ ଯାଇଥିଲେ ବୋଲି ଚର୍ଚ୍ଚା ହେଉଥିବାବେଳେ ଦୀପିକା ଭାବୁଛନ୍ତି, ଯିଏ ଯାହା କହୁଛ କୁହ ପଛେ ସିନେମା ଦେଖ । ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ତାଙ୍କ ଫିଲ୍ମ ‘ଛପାକ’କୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଥିବାବେଳେ ଫ୍ରାଇଡେ ରିଲିଜରେ ସିଲଭର ସ୍କ୍ରିନକୁ ଆସିଥିବା ଏହି ସିନେମାକୁ ଦର୍ଶକେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଭାରତର ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଜେଏନୟୁରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ସୋସିଆଲ ନେଟୱର୍କିଂ ସାଇଟ ଲିଙ୍କେଡଇନରେ ରାଜନ ତାଙ୍କୁ ପ୍ରେରଣା ବୋଲି ଅଭିହିତ କରିଛନ୍ତି । ପ୍ରାୟ ୬୫୦ ଶବ୍ଦ ସମ୍ବଳିତ ନିଜ ବ୍ଲଗରେ ଜେଏନୟୁ, ଗଣତନ୍ତ୍ର ଓ ଭାରତର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କେତେକ ବିଷୟ ଉଲ୍ଲେଖ କରିଛନ୍ତି ।
ଦୀପିକା ବଜାରକୁ ବୁଝୁଥିବା ଜଣେ ପରିପକ୍ୱ ଅଭିନେତ୍ରୀ । ଅତୀତରେ ପଦ୍ମାବତ, ବାଜି ରାଓ ମସ୍ତାନୀ ଓ ଗଲିଓଁ କୀ ରାସଲୀଲା ରାମଲୀଲା ଆଦି ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦୀୟ ହୋଇ ବକ୍ସ ଅଫିସରେ ଆଶାତୀତ ବେପାର କରିଥିଲା । ତେଣୁ ୩୫ରୁ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଏସିଡ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ଗତିଶୀଳ ‘ଛପାକ’ ମୁକ୍ତିଲାଭ କରିବାର ଠିକ ପୂର୍ବରୁ ସେ ଜାଣିଶୁଣି ବିବାଦକୁ ନିମନ୍ତ୍ରଣ କରିଥିବା କୁହାଯାଉଛି । ଅର୍ଥାତ ଯିଏ ଯେତେ ସମାଲୋଚନା କରିବେ ସିନେମା ହଲଗୁଡ଼ିକରେ ଫିଲ୍ମର ଶୋ’ ସେତେ ବେଶି ଚାଲିବ । ପୂର୍ବ ପ୍ରୟୋଗରୁ ଏପରି ମାଗଣା ପ୍ରମୋଶନର ସ୍ୱାଦ ଚାଖିସାରିଛନ୍ତି ଦୀପିକା ପାଦୁକୋଣ । ‘ଛପାକ’କୁ ୧୫୦୦ ସ୍କ୍ରିନ ମିଳିଥିବାବେଳେ ଅଜୟ ଦେବଗନ, କାଜୋଲ ଓ ସୈଫ ଅଲି ଖାନଙ୍କ ଅଭିନୀତ ୧୫୦ କୋଟି ବଜେଟର ଫିଲ୍ମ ‘ତାନାଜୀ’ ରିଲିଜ ହୋଇଛି ୩୦୦୦ ସ୍କ୍ରିନରେ । ତେଣୁ ସମ୍ଭବତଃ ଜେଏନୟୁ ଯିବା ଜରୁରୀ ଥିଲା ଦୀପିକାଙ୍କ ପାଇଁ ।
Spread the love