March 28, 2024

Satya News

odia news channel

ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍, ଆଜି ଭାରତୀୟ ଟେଷ୍ଟ ଟିମ୍‌ରେ କଲେ ପଦାର୍ପଣ

 

ସିଡନୀ :  ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଉମେଶ ଯାଦବଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ନବଦୀପ ସୈନୀ । ସେ ସିଡନୀ ଟେଷ୍ଟରେ ପଦାର୍ପଣ କରିଥିବା ଦଳର ୨୯୯ତମ ଖେଳାଳି ହୋଇଛନ୍ତି । ତାଙ୍କୁ ଦ୍ରୁତ ବୋଲର ଜସପ୍ରିତ ବୁମରାହ ଟେଷ୍ଟ୍ କ୍ୟାପ୍ ଦେଇଥିଲେ ।

୨୮ ବର୍ଷୀୟ ଦକ୍ଷିଣହାତୀ ବୋଲର ନବଦୀପ ଲଗାତର ଭାବେ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରିପାରନ୍ତି । ସେ ଭାରତ ତରଫରୁ ଟି୨୦ ଓ ଦିନିକିଆ ଖେଳି ସାରିଛନ୍ତି । ଟି୨୦ରେ ସେ ୧୩ଟି ଓ୍ୱିକେଟ୍ ନେଇଥିବା ବେଳେ ୭ଟି ଦିନିକିଆରେ ୬ଟି ଓ୍ୱିକେଟ ନେଇଛନ୍ତି ।

ରଣଜୀ ଟ୍ରଫିରେ ନବଦୀପ ଦିଲ୍ଲୀ ତରଫରୁ ଖେଳୁଥିଲେ । ପ୍ରକୃତରେ ତାଙ୍କ ଘର ହେଉଛି ହରିୟାଣାର କରନାଲ । ଏପରି ଦିନ ଥିଲା ଯେତେବେଳେ ନବଦୀପ କରନାଲ ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ତାଙ୍କୁ ୨୦୦ ଟଙ୍କା ମିଳୁଥିଲା । ୨୦୧୩ ଯାଏଁ ସେ ଟେନିସ୍ ବଲରେ ବୋଲିଂ କରୁଥିଲେ ।

କରନାଲ ପ୍ରିମିୟର ଲିଗରେ ଦିଲ୍ଲୀର ପୂର୍ବତନ ଦ୍ରୁତ ବୋଲର ସୁମିତ ନରଓ୍ୱାଲଙ୍କୁ ନବଦୀପଙ୍କ ବୋଲିଂ ପ୍ରଭାବିତ କରିଥିଲା । ଏହାପରେ ନବଦୀପ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ନେଟ୍ସରେ ପ୍ରାକ୍ଟିସ୍ କରିଥିଲେ । ଗମ୍ଭୀର ତାଙ୍କ ବୋଲିଂ ଦେଖି ଚକିତ ହେବା ସହ ସବୁଦିନ ଅଭ୍ୟାସ ପାଇଁ କହିଥିଲେ । ୨୦୧୩-୧୪ରେ ସେ ଦିଲ୍ଲୀ ରଣଜୀ ଟିମ୍ ପାଇଁ ଚୟନ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଦେଖିନଥିଲେ ।

ନବଦୀପ ୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୧୨୮ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ହେଉଛି ୩୨ ରନ୍ ଦେଇ ୬ ଓ୍ୱିକେଟ୍ ନେବା । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪ ଥର ୫ଟି ଓ୍ୱିକେଟ୍ ନେଇଛନ୍ତି ।

Spread the love