March 28, 2024

Satya News

odia news channel

ଏକାମ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୮/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ପାଇଁ ସ୍ଥାନାନ୍ତର ହେବାକୁ ଥିବା ବାସଗୃହ, ମଠ ଓ ଦୋକାନ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅଧିଗୃହୀତ ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବା ସହ ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ଲେଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏବଂ ମନ୍ଦିର ଚାରିପଟେ ଥିବା ଅଞ୍ଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରକୁ ଲାଗିରହିଥିବା ୬୫ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କରାଯିବ। କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ନିମନ୍ତେ ଏକାମ୍ର ପ୍ୟାକେଜ ଘୋଷଣା କରାଯାଇଛି। ତଦନୁଯାୟୀ ଉକ୍ତ ସ୍ଥାନରେ ଥିବା ବାସଗୃହଗୁଡ଼ିକୁ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବା ସହ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଆଇନ ୨୦୧୩ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଜମି ବଦଳରେ କୌଣସି ବ୍ୟକ୍ତି ଜମି ନେବାକୁ ଚାହିଁଲେ, ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ବିସ୍ଥାପିତ ହେବାକୁ ଥିବା ପ୍ରତି ପରିବାରକୁ ୧ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏଥିସହ ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ। ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଯୋଗାଇ ଦିଆଯିବ। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଦୋକାନ ମାଲିକମାନଙ୍କୁ ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ୨୦୦ ବର୍ଗମିଟର କିମ୍ବା କମ୍‌ ସ୍ଥାନରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଏବଂ ୨୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ଯୋଗାଇ ଦିଆଯିବ। ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ। ସମସ୍ତ ଉଠା ଦୋକାନୀଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଯୋଗାଇ ଦିଆଯିବ। ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ପାଇଁ ମଧ୍ୟ ସହାୟତା ଦିଆଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ। ସେହିପରି ମଠଗୁଡ଼ିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ମଧ୍ୟ ଖୋର୍ଦ୍ଧା ଜିଲ୍ଳାପାଳ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରି ବିଏମସି କମିସନର ସ୍ଥିରକରିବେ ବୋଲି ଜଣାପଡ଼ିଛି।

Spread the love