March 27, 2024

Satya News

odia news channel

ବଳାତ୍କାରୀ ଆଖିରେ ମୃତ୍ୟୁର ଭୟ । ଅପେକ୍ଷା କରିଛି ତିହାର ଫାଶୀଖୁଣ୍ଟ

ବଳାତ୍କାରୀ ଆଖିରେ ମୃତ୍ୟୁର ଭୟ 
ଅପେକ୍ଷା କରିଛି ତିହାର ଫାଶୀଖୁଣ୍ଟ

ଆଉ ନଅ ଦିନ ବାକି । ତିହାର ଜେଲର ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ବଳାତ୍କାରୀ ଓ ହତ୍ୟାକାରୀ । ଖୁଣ୍ଟ ବି ପ୍ରସ୍ତୁତ ଆଉ ଜହ୍ଲାଦ ବି ପ୍ରସ୍ତୁତ । ଅପେକ୍ଷା କେବଳ ସେହି ମୁହୂର୍ତ୍ତକୁ । ୨୨ ତାରିଖ ସକାଳ ସାତଟାରେ ମୁଣ୍ଡରେ କଳାକନା ଘୋଡ଼ାଇ ଦିଆଯିବ । ବେକରେ ଦଉଡ଼ି ଭିଡ଼ି ଦିଆଯିବ । ତା’ ପରେ ଯାହା ଘଟିବ ସେଥିରେ ଶାନ୍ତି ପାଇଯିବ ସେଦିନର ୨୩ ବର୍ଷୀୟା ପାରା ମେଡିକାଲ ଛାତ୍ରୀର ଆତ୍ମା । କେବଳ ସେଇ ଜଣେ ନିର୍ଭୟା ନୁହେଁ, ଏ ଦେଶର ଅନେକ ନିର୍ଭୟା ଆଶ୍ବସ୍ତ ହେବେ । ଭାରତୀୟ ନ୍ୟାୟପାଳିକାର ଏଇ କଠୋର ଦଣ୍ଡବିଧାନ ବ୍ୟବସ୍ଥାକୁ ସାବାସି ଦେବେ । କହିବେ ଏପରି ଯୌନ ରାକ୍ଷସମାନଙ୍କୁ ଏଭଳି ଦୃଷ୍ଟାନ୍ତମୂଳକ ଶାସ୍ତି ଦିଅ, ଯେମିତିକି ଆଉ କେହି କେବେ କେଉଁ କୁଆଁରୀ କନ୍ୟାର ଇଜ୍ଜତ ଲୁଟିବା ଆଗରୁ ଶହେ ଥର ଚିନ୍ତା କରିବେ । ମୃତ୍ୟୁ ଭୟରେ ଭୁଲିଯିବେ ସେମାନେ କ୍ଷଣିକ ଉନ୍ମାଦନାର ସୁଖ । ଆଗକୁ ଇତିହାସର ପୃଷ୍ଠା ଲେଉଟାଇଲେ କେଉଁଠି ବି ମିଳିବନି ଆଉ ବୁନ୍ଦାଏ ରକ୍ତର ଛିଟା କି ଶୁଭିବନି କେଉଁ ପୀଡ଼ିତାର କ୍ରନ୍ଦନରୋଳ ।
ତଥାସ୍ତୁ.. ତଥାସ୍ତୁ.. ତଥାସ୍ତୁ.. ।

ନୂଆଦିଲ୍ଲୀ,୧୩/୧: ମୁକେଶ ସିଂ(୩୨), ବିନୟ ଶର୍ମା(୨୬), ଅକ୍ଷୟ ଠାକୁର(୩୧) ଓ ପବନ ଗୁପ୍ତା(୨୫) । ଏମାନେ ହେଉଛନ୍ତି ସେହି ଚାରି ଜଣ, ଯାହାଙ୍କ ଆଖିରୁ ଶନିବାର ରାତିରେ ଲୁହ ଝରୁଥିଲା ଆସନ୍ନ ମରଣ ଭୟରେ । ଦିଲ୍ଲୀର ପଟିଆଲା ହାଉସକୋର୍ଟ ଅତିରିକ୍ତ ସେସନ୍ସ ଜଜ ସତୀଶ କୁମାର ଆରୋରା ସ୍ଥିର କରିସାରିଛନ୍ତି ଏମାନଙ୍କ ଶେଷ ନିଃଶ୍ୱାସ ନେବାର ମୁହୂର୍ତ୍ତ । ସମୟ ଯେତିକି ପାଖେଇ ଆସୁଛି ତିହାର ଜେଲ ପ୍ରଶାସନ ସେତିକି ସଜବାଜ ହେଉଛି ପ୍ରଥମଥର ଲାଗି ଏକସଙ୍ଗେ ଚାରି ଚାରି ଜଣଙ୍କୁ ଫାଶୀ ଦେବା ପାଇଁ । ଜେଲ ନମ୍ବର ୩ରେ ଫାଶୀଖୁଣ୍ଟରେ ଝୁଲାଇବା ଲାଗି ଡମି ଟ୍ରାଏଲ ବେଳେ ଏହି ପିଶାଚମାନଙ୍କ ଗଳା, ଓଜନ ଓ ଲମ୍ବର ମାପ ନିଆାଇଥିଲା । ମୃତ୍ୟୁ ସୁନିଶ୍ଚିତ ଓ ତାହା ପାଖେଇ ଆସୁଛି ଜାଣି କଇଁ କଇଁ କାନ୍ଦିଥିଲେ ୪ ଦୋଷୀ । ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇଯାଉଥିଲା ମରଣର ଭୟ । ଉପସ୍ଥିତ ଜେଲ କର୍ମଚାରୀଙ୍କ ସ୍ୱାନ୍ତନା ବି ସେମାନଙ୍କୁ ଆଶ୍ୱସ୍ତି ଦେଇ ନଥିଲା ।
କେମିତି ଦିଆଯାଏ ଫାଶୀ

ତିହାର ଜେଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଫାଶୀ ଦେବା ପୂର୍ବରୁ ଦୋଷୀମାନଙ୍କ ଓଜନ ଓ ଲମ୍ବର ମାପ କରି ଖୁଣ୍ଟ ପ୍ରସ୍ତୁତ କରାଯାଏ । ୯୦ କେ.ଜି.ରୁ ଅଧିକ ଓଜନର ଦୋଷୀଙ୍କ ପାଇଁ ୬ ଫୁଟ ଉଚ୍ଚତାର ଖୁଣ୍ଟ ପ୍ରସ୍ତୁତ କରାଯାଉଥିବାବେଳେ ୪୫ କେ.ଜି ଓଜନର ଦୋଷୀଙ୍କ ଲାଗି ଖୁଣ୍ଟର ଉଚ୍ଚତା ରଖାଯାଇଥାଏ ୮ ଫୁଟ । ଫାଶୀ ଦେବା ପ୍ରକ୍ରିୟା ଆରମ୍ଭ ହେଲେ ଦୋଷୀଙ୍କ ଓଜନ ଉପରେ ବିଶେଷ ଧ୍ୟାନ ଦିଆଯାଏ । କାରଣ ଓଜନ ହ୍ରାସ ପାଇଲେ ଶରୀରର ଲମ୍ବ ବି ପ୍ରଭାବିତ ହୋଇଥାଏ । ଫାଶୀ ପାଇଁ ଦୋଷୀଙ୍କ ମାପ ନେବା ବେଳେ ତାଙ୍କ ବାମ କାନ ଓ ଗାଲରୁ ତଳପାଟି ହାଡ଼ ଯାଏ ମପାଯାଏ । ଫାଶୀରେ ଝୁଲାଇବା ବେଳେ ସେଇ ହାଡ଼ରୁ ହିଁ ଗଣ୍ଠି ପକାଇବା ଆରମ୍ଭ କରାଯାଏ । ଏଥିଲାଗି ଝୁଲିବାକୁ ଥିବା ଦୋଷୀଙ୍କ ଓଜନ ଉପରେ ବିଶେଷ ଧ୍ୟାନ ଦିଆଯାଏ । ଓଜନ ଅନୁସାରେ ଦଉଡ଼ିରେ କେତୋଟି ଗଣ୍ଠି ପକାଯିବ ତାହା ନିର୍ଦ୍ଧାରଣ କରାଯାଏ । ସାଧାରଣତଃ ଏହି ଗଣ୍ଠି ସଂଖ୍ୟା ୩ରୁ ୫ ରହିଥାଏ । ଦେଶର ଯେକୌଣସି ଜେଲରେ ଫାଶୀ ଦିଆଗଲେ ବି ଦଉଡ଼ି ଆସିଥାଏ କେବଳ ସେଇ ଗୋଟିଏ ସ୍ଥାନରୁ । ତାହା ହେଉଛି ବକ୍ସର କେନ୍ଦ୍ରୀୟ ଜେଲ । ବକ୍ସର ଜେଲରେ ପ୍ରସ୍ତୁତ ସ୍ୱତନ୍ତ୍ର ‘ମାନିଲା ଦଉଡ଼ି’ ଆଣି ଫାଶୀ ଦିଆଯିବା ବ୍ୟବସ୍ଥା ସ୍ୱାଧୀନତା ପୂର୍ବରୁ ରହିଆସିଛି । ବ୍ରିଟିଶ ଅମଳରୁ ଚାଲିଆସିଥିବା ଏହି ପରମ୍ପରା ଏବେ ବି ବଜାୟ ରହିଛି । ଏପରି ଦଉଡ଼ି ପ୍ରଥମେ ଫିଲିପାଇନ୍ସ ରାଜଧାନୀ ମାନିଲାରେ ତିଆରି କରାଯାଉଥିବାରୁ ଏହାର ଏଭଳି ନାମକରଣ କରାଯାଇଛି ।
କାହିଁକି ଦିଆଯିବ ମୃତ୍ୟୁଦଣ୍ଡ

୨୦୧୨ ଡିସେମ୍ବର ୧୬ ରାତି ୯ଟା ୩୦ । ଦିଲ୍ଲୀ ବସନ୍ତ ବିହାର ଏରିଆରେ ୬ ପିଶାଚ (ଏହି ୪ ଜଣଙ୍କ ସହ ବସ ଡ୍ରାଇଭର ରାମ ସିଂ ଓ ଜଣେ ନାବାଳକ) ଏକ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିଲେ । ଏତିକିରେ ସୀମିତ ନ ଥିଲା ସେମାନଙ୍କ ବର୍ବରତା । ବଳାତ୍କାରୀମାନେ ନିର୍ଭୟାଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେବା ପରେ ବସରୁ ତଳକୁ ଫିଙ୍ଗି ଦେଇଥିଲେ । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସିଙ୍ଗାପୁରସ୍ଥିତ ମାଉଣ୍ଟ ଏଲିଜାବେଥ ହସ୍ପିଟାଲକୁ ନିଆଯାଇଥିଲା । ୨୯ ତାରିଖରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା । ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହାକୁ ନେଇ ଦେଶବ୍ୟାପୀ ଅଭୂତପୂର୍ବ ଜନାକ୍ରୋଶ ଦେଖିବାକୁ ମିଳିଥିଲା । ୬ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ରାମ ସିଂ ତିହାର ଜେଲରେ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ନାବାଳକ ଅଭିଯୁକ୍ତ ଜୁଭେନାଇଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲଦଣ୍ଡ ଭୋଗିସାରିଛନ୍ତି । ୨୦୧୩ ସେପ୍ଟେମ୍ବର ୧୦ରୁ ୨୦୧୭ ମେ ୫ । ଏହି ଅବଧି ମଧ୍ୟରେ ତଳକୋର୍ଟରୁ ସୁପ୍ରିମକୋର୍ଟ  ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସ୍ଥିର କରିସାରିଛନ୍ତି । ତେବେ ଆଇନଗତ ପ୍ରକ୍ରିୟା ଏମାନଙ୍କୁ ଏଯାଏ ବଞ୍ଚାଇ ରଖିଛି । ୨୦୨୦ ଜାନୁୟାରୀ ୭ରେ ମୁକେଶ, ବିନୟ, ଅକ୍ଷୟ ଓ ପବନଙ୍କ ନାମରେ ଜାରି କରାଯାଇଛି ମୃତ୍ୟୁର ପରୱାନା । ମୁକେଶ ଓ ବିନୟ ଫାଶୀରୁ ବର୍ତ୍ତିଯିବା ପାଇଁ ଶେଷ ଉଦ୍ୟମ ସ୍ୱରୂପ ସର୍ବୋଚ୍ଚ ଅଦାଲତରେ ଦାଏର କରିଛନ୍ତି କ୍ୟୁରେଟିଭ୍ ପିଟିସନ, ଯାହାର ଶୁଣାଣି ୧୪ ତାରିଖ ଅପରାହ୍ନ ୧ଟା ୪୫ ମିନିଟରେ ପାଞ୍ଚଜଣିଆ ଖଣ୍ଡପୀଠରେ ହେବ ।

Spread the love