April 19, 2024

Satya News

odia news channel

ଅଳଙ୍କାର ହଲମାର୍କିଂ ଉଲ୍ଲଂଘନ କଲେ ଜେଲ୍‌

୨୦୨୧ରୁ ବାଧ୍ୟତାମୂଳ
ଅଳଙ୍କାର ହଲମାକିଂ ଉଲ୍ଲଂଘନ କଲେ ଜେଲ 


ଭୁବନେଶ୍ୱର: ଏଣିକି ସାରା ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ । ୨୦୨୧ ଜାନୁଆରୀ ୧୫ ତାରିଖରୁ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ  ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିପାଇଁ ସ୍ୱର୍ଣ୍ଣ ଅଳଙ୍କାର ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କୁ ବର୍ଷେ ସମୟ ଦିଆଯାଇଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ବାନ କହିଛନ୍ତି । ମଙ୍ଗଳବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଅଳଙ୍କାରର ଶୁଦ୍ଧତା ବଜାୟ ରହିବା ସହିତ ଅଳଙ୍କାର କିଣିବା ସମୟରେ ଗ୍ରାହକମାନେ ଆଉ ଠକାମିରେ ପଡ଼ିବେ ନାହିଁ । ସୁନାର ଶୁଦ୍ଧତା ନେଇ ସେମାନଙ୍କ ମନରେ ଆଶଙ୍କା ରହିବ ନାହିଁ । ବର୍ତ୍ତମାନ କେବଳ ତିନୋଟି କ୍ୟାରେଟ ୧୪, ୧୮ ଓ ୨୨ରେ ସୁନା ଅଳଙ୍କାର ମିଳିବ ଓ ଏହାଦ୍ୱାରା ଠକାମିକୁ ଏଡ଼ାଇ ଦିଆଯାଇପାରିବ । ହଲମାର୍କିଂ ବାଧ୍ୟତାମୂଳକ ହେବା ପରେ ଏହାର ଉଲ୍ଲଂଘନ କ୍ଷେତ୍ରରେ ୧ ଲକ୍ଷ ଟଙ୍କାରୁ ଆରମ୍ଭ କରି ଠକାମି ହୋଇଥିବା ଗହଣାର ୫ଗୁଣା ମୂଲ୍ୟ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲଦଣ୍ଡ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ନିୟମ ପାଇଁ ୧ବର୍ଷର ସମୟ ଦିଆଯିବା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଶୱାନ କହିଥିଲେ ଯେ, ଏହି ଅବଧି ମଧ୍ୟରେ ଅଳଙ୍କାର ବ୍ୟବସାୟୀମାନେ ସେମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ପୂରଣ କରି ପାରିବେ । ଏହାଛଡ଼ା ଅଳଙ୍କାର ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସାମଗ୍ରୀକୁ ବିକ୍ରି କରିବା ଲାଗି ସମୟ ପାଇବେ । ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ଦ୍ୱାରା ଅତିରିକ୍ତ ଧାତୁ ପରୀକ୍ଷଣ ଓ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇପାରିବ । ତେବେ ଯେଉଁଠି ଏହି କେନ୍ଦ୍ର ନଥିବ ସେହି ଅଞ୍ଚଳକୁ ଅଧିକ ପ୍ରାଥମିକତା ଦିଆଯିବ ।୨୦୧୯   ଡିସେମ୍ବର ୩୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ଧାତୁ ପରୀକ୍ଷଣ ଏବଂ ହଲମାର୍କ କେନ୍ଦ୍ର ରହିଛି ଏବଂ ୨୮,୮୪୯ ଜଣ ଅଳଙ୍କାର ବ୍ୟବସାୟୀ ଭାରତୀୟ ମାନକ  ବ୍ୟୁରୋ (ବିଆଇଏସ)ରେ ପଞ୍ଜିକୃତ ହୋଇସାରିଛନ୍ତି ।

Spread the love