March 28, 2024

Satya News

odia news channel

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ମୋହର ମାରିଲେ ରାଷ୍ଟ୍ରପତି

 

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପ ପୁଅ ଏବେ ଜେଲରେ ଅଛନ୍ତି।

ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମଧ୍ୟ ପୂର୍ବରୁ ମିଳିସାରିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କରିଥିଲେ। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଥିବା ସୂଚନା ମିଳିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପାଠକଙ୍କ ଘରେ ରେଡ୍ ମଧ୍ୟ କରାଯାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଏକକାଳୀନ ରେଡ୍ କରାଯାଇଥିଲା। ରେଡ୍ କରି ଗିରଫ କରିଥିଲେ ବି ନିର୍ଦ୍ଧାରିତ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦେଇପାରିନଥିଲା। ଏଣୁ ନିୟମ ଅନୁସାରେ କୋର୍ଟ ବାପା ପୁଅଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ପାଇଥିଲେ ବି ଏବେ ଜେଲରୁ ମୁକୁଳି ପାରିବେନି ପଠାକ ବାପ,ପୁଅ। ଭିଜିଲାନ୍ସ କେସ୍‌ରୁ ଜାମିନ ମିଳିଥିଲେ ବି କ୍ରାଇମବ୍ରାଞ୍ଚ ମାମଲା ରହିଛି।

ସେପଟେ ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି। ଏ ନେଇ ଡିସେମ୍ବର ୫ରେ ସ୍ପଷ୍ଟୀକରଣ ରଖିଛି ଟାଟା। ଓଟିଭିକୁ ଟାଟା ମୋଟର୍ସ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଦୀପ ଭାଲ୍ଲା କହିଥିଲେ, ଯେ ଆକାଶ କୁମାର ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି। ଆକାଶ ପାଠକଙ୍କ ଠକେଇ ବିଷୟରେ ଆମ ପାଖକୁ ଖବର ଆସିଥିଲା। ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ଟଙ୍କା ଆଦାୟ ଅଭିଯୋଗ ଥିଲା। ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ଥିଲା। ଏନେଇ କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ହୋଇଥିବା ବୋଲି ଭାଲ୍ଲା କହିଥିଲେ।

Spread the love