April 19, 2024

Satya News

odia news channel

ଅଣ୍ଡର୍‌-୧୯ ଆଇସିସି ବିଶ୍ୱକପ୍‌: ଫାଇନାଲରେ ଭାରତ-ବାଂଲା ମୁକାବିଲା

ପୋଚେଫ୍‌ଷ୍ଟ୍ରୁମ୍‌,୭/୨: ଅଣ୍ଡର୍‌-୧୯ ଆଇସିସି ବିଶ୍ୱକପ୍‌ର ଫାଇନାଲ୍ ଲାଇନ୍‌ଅପ୍ ଚୂଡ଼ାନ୍ତ ହୋଇଛି। ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲରେ ଗୁରୁବାର ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ବାଂଲାଦେଶ ଫାଇନାଲ୍‌ରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୬ ୱିକେଟ୍‌ରେ ବିଜୟୀ ହୋଇ ବାଂଲାଦେଶ ପ୍ରଥମଥର ପାଇଁ ଟାଇଟଲର ନିକଟତର ହୋଇଛି। ଶତକୀୟ ଇନିଂସ ତଥା ବାଂଲାଦେଶ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବ୍ୟାଟ୍ସମ୍ୟାନ୍ ମାହମୁଦୁଲ୍ ହସନ୍ ରୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନକୁ ୧୦ ୱିକେଟ୍‌ର ବୃହତ୍ ବ୍ୟବଧାନରେ ହରାଇ ଭାରତ ଫାଇନାଲ୍‌ରେ ପହଞ୍ଚିସାରିଛି। ଉଭୟ ଦଳ ଆସନ୍ତା ରବିବାର ଟାଇଟଲ୍ ପାଇଁ ଲଢ଼େଇ କରିବେ। ୨ୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ୍ ୮ ୱିକେଟ୍‌ରେ ୨୧୧ ରନ୍ କରିଥିଲା। ଦଳ ପକ୍ଷରୁ ବେକ୍‌ହାମ୍ ହ୍ୱିଲର୍‌-ଗ୍ରୀନାଲ୍ ଅପରାଜିତ ୭୫ ଓ ନିକୋଲାସ୍ ଲିଡ୍‌ଷ୍ଟୋନ୍ ୪୪ ରନ୍ କରିଥିଲେ। ପ୍ରତିପକ୍ଷ ବାଂଲାଦେଶ ପକ୍ଷରୁ ଶୋରିଫୁଲ୍ ଇସଲାମ୍ ୩ଟି ଏବଂ ଶମିମ୍ ହୋସେନ୍ ଓ ହସନ୍ ମୁରାଦ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ବାଂଲାଦେଶ ୩୨ ରନ୍ ମଧ୍ୟରେ ୨ଟି ୱିକେଟ୍ ହରାଇଥିଲେ ହେଁ ଜୟ ତୃତୀୟ ୱିକେଟ୍‌ରେ ତୌହିଦ୍ ହୃତୟଙ୍କ ସହ ୬୮ ଓ ଚତୁର୍ଥ ୱିକେଟ୍ ପାଇଁ ଶାହଦତ୍ ହୋସେନ୍(ତୃତୀୟ)ଙ୍କ ସହ ୧୦୧ ରନ୍ ଯୋଡ଼ିଥିଲେ। ଫଳରେ ଦଳ ୪୪.୧ ଓଭର୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ହୃଦୟ ଓ ହୋସେନ୍ ୪୦ ରନ୍ ଲେଖାଏଁ କରିଥିଲେ। ଜୟଙ୍କ ୧୦୦ ରନ୍‌ର ଇନିଂସରେ ୧୩ଟି ଚୌକା ରହିଥିଲା।

Spread the love