April 16, 2024

Satya News

odia news channel

ଚତୁର୍ଥ ଟି-୨୦: ପୁଣି ସୁପର ଓଭରରେ ଭାରତର ବିଜୟ

ଖ୍ରୀଷ୍ଟଚର୍ଚ୍ଚ,୧/୨: ସୁପର ଓଭର ଦଶା ନ୍ୟୁଜିଲାଣ୍ଡର ପିଛା ଛାଡୁନାହିଁ। ଫଳରେ ଭାରତ ବିପକ୍ଷ ଚଳିତ ଟି-୨୦ ସିରିଜରେ ଦଳ ଦ୍ୱିତୀୟ ସୁପର ଓଭର ଖେଳିଛି। ଏଥିରେ ବି ଭାରତ ବିଜୟ ହାସଲ କରି ବର୍ତ୍ତମାନ ସୁଦ୍ଧା ୪-୦ରେ ସିରିଜରେ ଅଗ୍ରଣୀ ହାସଲ କରିଛି। ପୂର୍ବର୍ରୁ ତୃତୀୟ ମ୍ୟାଚ୍‌ରେ ବି ସୁପର ଓଭର ଖେଳାଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇ ସିରିଜ ହାତେଇଥିଲା। ସୂଚନାନୁଯାୟୀ, ଖ୍ରୀଷ୍ଟଚର୍ଚ୍ଚସ୍ଥିତ ୱେଷ୍ଟପାକ୍ ଷ୍ଟାଡ଼ିୟମରେ ଚତୁର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଥିଲା। ଦଳପକ୍ଷରୁ ମନୀଷ ପାଣ୍ଡେ ଅପରାଜିତ ୫୦ ରନ୍ କରିଥିବାବେଳେ ଲୋକେଶ ରାହୁଲ ୩୯ ରନ୍ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଓପନର କଲିନ୍ ମୁନ୍‌ରୋ ଉପଯୋଗୀ ଇନିଂସ୍ ଖେଳି ଦ୍ରୁତ ୬୪ ଓ ଟିମ ଶିଫର୍ଟ ୫୭ ରନ୍ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୨ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡ ପ୍ରଦର୍ଶନ କରି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସିରିଜର ଅନ୍ତିମ ମ୍ୟାଚ୍ ଆସନ୍ତା ୨ ତାରିଖରେ ମାଉଣ୍ଟ ମାଉଙ୍ଗନୁଇଠାରେ ଖେଳାଯିବ। ଚତୁର୍ଥ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଥିଲା। ଓପନର ରୋହିତ ଶର୍ମାଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌, ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦର ଓ ମହମ୍ମଦ ଶମୀଙ୍କ ସ୍ଥାନରେ ନବଦୀପ ସୈନୀ ଖେଳିଥିଲେ। ସେହିପରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିଅମ୍‌ସନ୍‌ଙ୍କ ସ୍ଥାନରେ ଟମ୍ ବ୍ରୁସ୍ ଓ କଲିନ୍ ଡି ଗ୍ରାଣ୍ଡହୋମଙ୍କ ସ୍ଥାନରେ ସ୍କଟ୍ କୁଗଲିନ୍ ଖେଳିଥିଲେ। ସାଉଦୀ ଦଳର ନେତୃତ୍ୱ ନେଇଥିଲେ।

ଶେଷ ଓଭରରେ ଶାର୍ଦ୍ଦୁଲଙ୍କ କମାଲ:

india won 4th t-20
india won 4th t-20

ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ଅନ୍ତିମ ଓଭରରେ ୭ ରନ୍‌ର ଆବଶ୍ୟକ ରହିଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଏହି ଓଭର ବୋଲିଂ କରିଥିଲେ। ସେ ଓଭରର ପ୍ରଥମ ବଲରେ ରସ୍ ଟେଲର(୨୪)ଙ୍କୁ ଆଉଟ୍ କରିଥିଲେ। ଦ୍ୱିତୀୟ ବଲରୁ ଡାରେଲ ମିଚେଲ ୪ ରନ୍ ସଂଗ୍ରହ କରିଥିଲେ। ତୃତୀୟ ବଲରେ ୩୯ ବଲରୁ ୫୭ ରନ୍ କରିଥିବା ଶିଫର୍ଟ ରନ୍ ଆଉଟ୍ ହୋଇଥିଲେ। ଫଳରେ ୩ଟି ବଲରୁ ବିଜୟ ପାଇଁ ଦଳ ୩ ରନ୍ ଆବଶ୍ୟକ କରୁଥିଲା। ଚତୁର୍ଥ ବଲରେ ମିଚେଲ ସାଣ୍ଟନର ୧ ରନ୍ ନେଇଥିଲେ। ପରେ ପଞ୍ଚମ ବଲରେ ଡାରେଲ ମିଚେଲ ଆଉଟ୍ ହୋଇଥିଲେ। ଫଳରେ ଶେଷ ବଲରୁ ୨ ରନ୍ ଦରକାର ଥିଲା। ଏହି ବଲରୁ ୧ ରନ୍ ମିଳିଥିଲାବେଳେ ଦ୍ୱିତୀୟ ରନ୍ ନେବାକୁ ଯାଇ ସାଣ୍ଟନର ରନ୍‌ଆଉଟ୍ ହୋଇଥିଲେ।

ସୁପର ଓଭର ହାଇଲାଇଟ:


ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ ଶିଫର୍ଟ ଓ ମନ୍‌ରୋ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଏହି ଓଭର ବୋଲିଂ କରିଥିଲେ। ପ୍ରଥମ ବଲରୁ ଶିଫର୍ଟ ୨, ଦ୍ୱିତୀୟ ବଲରୁ ୪ ଓ ତୃତୀୟ ବଲରୁ ୨ ରନ୍ ନେଇ ସମୁଦାୟ ୮ ରନ୍ କରିଥିଲେ। ଚତୁର୍ଥ ବଲରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ପଞ୍ଚମ ବଲରୁ ମନ୍‌ରୋ ୪ ଓ ଅନ୍ତିମ ବଲରୁ ୧ ରନ୍ ନେଇଥିଲେ। ଫଳରେ ଦଳ ୧୩ ରନ୍ ସଂଗ୍ରହ କରି ଭାରତ ସମ୍ମୁଖରେ ୧୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବିରାଟ କୋହଲି ଓ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ପୁଣି ଅଧିନାୟକ ଟିମ୍ ସାଉଦୀ ବୋଲିଂ କରିଥିଲେ। ରାହୁଲ ପ୍ରଥମ ବଲକୁ ଛକା ଓ ଦ୍ୱିତୀୟ ବଲକୁ ଚୌକା ମାରି ଭାରତର ବିଜୟ ପକ୍କା କରିଥିଲେ। ସେ ତୃତୀୟ ବଲରେ ଆଉଟ ହେବା ବେଳକୁ ଭାରତକୁ ବିଜୟ ପାଇଁ ୪ ରନ୍ ଆବଶ୍ୟକ ରହିଥିଲା। କୋହଲି ଚତୁର୍ଥ ବଲରୁ ୨ ଓ ପଞ୍ଚମ ବଲକୁ ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ।

Spread the love