April 20, 2024

Satya News

odia news channel

ଜେଏନୟୁ ଆକ୍ରମଣ ଘଟଣା: ମନ୍ଥର କାର୍ଯ୍ୟାନୁଷ୍ଠାନ ବିରୋଧରେ ଜେଏସଏଫର ଶାନ୍ତିପୂର୍ଣ୍ଣ ପଦଯାତ୍ରା

ଭୁବନେଶ୍ୱର,୧୦/୧: ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୪ଦିନ ବିତିଥିବାବେଳେ ଦିଲ୍ଲୀ ପୋଲିସ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ତଥା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ଘଟଣା ପାଇଁ ଦେଶର ଏକ ହିନ୍ଦୁତ୍ୱବାଦୀ ସଂଗଠନ ନିଜକୁ ଦାୟୀ କରୁଥିବାବେଳେ ମିଳିଥିବା ସିସିଟିଭି ଫୁଟେଜରେ କେତେଜଣ ଆକ୍ରମଣକାରୀଙ୍କୁ ଚିହ୍ନଟ କରିହେଉଥିବା ଜଣାପଡ଼ିଛି। ଏପରି ସ୍ଥଳେ ଦିଲ୍ଲୀ ପୋଲିସର ନିଷ୍କ୍ରିୟତା ଘଟଣାର ଭିନ୍ନ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ତେବେ ସରକାରୀ କାଳର ଏହି ମନ୍ଥର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଭୁବନେଶ୍ୱରରେ ଜର୍ଣ୍ଣାଲିଜମ ଷ୍ଟୁଡେଣ୍ଟସ ଫୋରମ ରାଜରାସ୍ତାକୁ ଓହ୍ଲାଇଛି। ଏହାର ପ୍ରତିବାଦରେ ଗୁରୁବାର ଅପରାହ୍ଣ ୩ଟାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନଠାରୁ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ବାହାରିଥିଲେ। ସେମାନେ ବିଭିନ୍ନ ସ୍ଳୋଗାନ ଦେଇ ଲୋୟର ପିଏମଜି ଯାଏ ଚାଲି ଚାଲି ଯାଇଥିଲେ। ତେବେ ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏପରି ଏକ ଜଟିଳ ସମସ୍ୟାକୁ ଗମ୍ଭୀର ଭାବେ ନେଇ ସମସ୍ୟାର ସମାଧାନ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷାନୁଷ୍ଠାନ ପରିସରରେ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ଫୋରମ ପକ୍ଷରୁ ଦାବି କରାଯାଇଛି।

Spread the love