
ଭୁବନେଶ୍ଵର : ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ନବୀନ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ଉଭୟ ବିଜେପି ଓ କଂଗ୍ରେସକୁ କଲେ ଟାର୍ଗେଟ୍ । କହିଲେ ଓଡ଼ିଶା ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି । ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼ । ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ନବୀନଙ୍କ ଏଭଳି ଟାର୍ଗେଟକୁ କାଉଣ୍ଟର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।
କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରି ବିଜେଡି ସୁପ୍ରିମୋ କହିଛନ୍ତି, ଜାତୀୟ ଦଳଗୁଡ଼ିକର ମୁଖ୍ୟ ଫୋକସ ହେଲା ହିନ୍ଦୀ । କିନ୍ତୁ ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼। ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ଆଉ ସେସବୁ ଦଳର ରାଜ୍ୟ ନେତାଙ୍କ ଲକ୍ଷ୍ୟ ହେଲା ଜାତୀୟ ନେତାଙ୍କୁ ଖୁସି କରି ପଦବୀ ହାସଲ କରିବା । ହେଲେ ଆଞ୍ଚଳିକ ଦଳ ହସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିପାରିବ। ଏଠି ରାଜ୍ୟରେ ବିଜେପି ଓ କଂଗ୍ରେସ ଦିଲ୍ଲୀ ରିମୋଟ କଣ୍ଟ୍ରୋଲରେ ଚାଲୁଛି । ହେଲେ ବିଜେଡିର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଏଠି ଓଡ଼ିଶାବାସୀ ହିଁ ବିଜୁ ଜନତା ଦଳର ବସ୍ । ଓଡ଼ିଶାର ଅନନ୍ୟ ପରଚୟର ସୁରକ୍ଷା ପାଇଁ ସଦାସର୍ବଦା ଲଢ଼େଇ କରି ଆସୁଛି ବିଜେଡି । ବିଜେଡି ହିଁ ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ତଥା ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବ ବୋଲି କହିଛନ୍ତି ନବୀନ।
ସେହିଭଳି ପୌର ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଛନ୍ତି ନବୀନ । ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟା କଥା କହିଥିଲେ । ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି । ତେବେ ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ କେନ୍ଦ୍ରର ବିଜେପି ସରକାର ଓ କଂଗ୍ରେସକୁ ନବୀନଙ୍କ ଏଭଳି ଟାର୍ଗେଟ୍ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି କହିଛି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୋଦି ସରକାର ଓଡ଼ିଶାକୁ ଅଧିକ ଫୋକସ କରିଛନ୍ତି । ସେହିଭଳି ବିଜେଡି ସୁପ୍ରିମୋଙ୍କ କଥାକୁ କାଉଣ୍ଟର କରିଛି କଂଗ୍ରେସ।
ବିଜେଡି ସହ ସମ୍ପର୍କକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଅନେକ ସମୟରେ ପରସ୍ପରକୁ ଟାର୍ଗେଟ୍ କରୁଥିବା ବେଳେ ଉଭୟ ଦଳଠାରୁ ସମଦୂରତା କଥା କହୁଥିବା ନବୀନ ଆଜିର ଭାଷଣରେ ଏହାକୁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି । କେନ୍ଦ୍ର ଅବହେଳା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇବା ହିଁ ଏହାର ଉଦାହରଣ ହୋଇପାରେ । ଆଗକୁ ପୌର ନିର୍ବାଚନ ଓ ପରେ ପରେ ପଞ୍ଚାୟତ ନିର୍ବାଚନକୁ ନେଇ ନବୀନ ଏଭଳି ଓଡ଼ିଆ କାର୍ଡ଼ ଖେଳିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ