March 28, 2024

Satya News

odia news channel

କୋଟିଆରେ ଆନ୍ଧ୍ର ଭୋଟ୍;‌ ୩ ଗାଁରୁ ଛିଡ଼ା ହେଲେ ୧୫ ଜଣ

 

ଜୟପୁର : ଧିରେ ଧିରେ ଆନ୍ଧ୍ର-ଓଡ଼ିଶା ବିବାଦ ଅଧିକ ଜଟିଳ ହେଉଛି। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ ଓଡ଼ିଶାର ତଳଗଞ୍ଜେଇପଦରର ନୂଆ ନାଁ ଆନ୍ଧ୍ର ଗଞ୍ଜେଇବାଦ୍ରା ଦେଇ ଏଠାରୁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ଜଣ ସରପଞ୍ଚ, ୧୦ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆନ୍ଧ୍ର ପଟୁଚେନୁରୁ ନାଁ ଦେଇଥିବା ଓଡ଼ିଶାର ପଟସୁନେରାରୁ ଜଣେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଆନ୍ଧ୍ର ପଟୁଗୁନେରୀ ନାଁ ଦେଇଥିବା ଓଡ଼ିଶାର ଫଗୁଣସିନେରୀରୁ ସରପଞ୍ଚ ଲାଗି ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏନେଇ ଆନ୍ଧ୍ର ସାଲୁର ବ୍ଲକ୍‌ କୁଟୁଗୁଟି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ୩ଟି ଗାଁକୁ କବ୍‌ଜା କରି ଆନ୍ଧ୍ର ନିର୍ବାଚନ ପରିଚାଳନା କରୁଥିବା ନେଇ ଓଟିଭିରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା।

ପୂର୍ବରୁ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସରକାର କୋଟିଆର ବିିକାଶ ଲାଗି ତତ୍ପରତା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳ ପାଇଁ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ଯୋଜନା ନେଇ କାର୍ଯ୍ୟ ଜାରି ରହିଥିଲା। ଏଥିରେ କୋଟିଆ ଠାରୁ ତାଡିବାଲ୍‌ସା, କୁରୁଡିପଦର ଠାରୁ ଗାଲିଗାବଦର, କୋଟିଆ ଠାରୁ ମାଡକର ରାସ୍ତା ରହିଛି। କୋଟିଆରେ ସ୍ୱାସ୍ଥ୍ୟସେବାର ଉନ୍ନତି ଲାଗି ଏକ ୧୦ ଶଯ୍ୟା ବିଶିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କର୍ମଚାରୀ ଭବନ କୋଠାର ମଧ୍ୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଶିକ୍ଷାକ୍ଷେତ୍ରର ଉନ୍ନତି ଲାଗି ଏକ ୩ ଶହ ଶଯ୍ୟା ବିଶିଷ୍ଟ ବାଳକ ଓ ୨ ଶହ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ କୋଠାର ମଧ୍ୟ ଉଦ୍‌ଘାଟନ ହେବ।

ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି।

Spread the love