March 28, 2024

Satya News

odia news channel

ମାନିଲେନି କଟକଣା: ଦୀପାବଳି ପରେ ବିଗିଡ଼ିଲା ଦିଲ୍ଲୀର ବାୟୁ ଗୁଣବତ୍ତା

 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ବଡ଼ ନିଷ୍ପତି ଶୁଣାଇଥିଲେ ।  ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଟ୍ରିବ୍ୟୁନାଲ । ନଭେମ୍ବର ୯ ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁକରିଥିଲେ ଏନଜିଟି । ହେଲେ କଟକଣା ମାନିଲେନି ଲୋକ‌େ। ଗତକାଲି ଦୀପାବଳି ଥିବା ବେଳେ ଆଜି ଦିଲ୍ଲୀର ବାୟୁ ପ୍ରଦୂଷଣର ସ୍ତର ଆହୁରି ତଳକୁ ଖସି ଯାଇଥିବା ଜଣା ପଡ଼ିଛି। ଶନିବାର ରାତିରୁ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାକୁ ଲାଗିଥିଲା, କାରଣ ଲୋକମାନେ ବାଣ ଫୁଟାଇବା ଉପରେ ଲାଗିଥିବା ନିଷେଧାଦେଶର ଅବମାନନା କରିଥିଲେ।

ଦିଲ୍ଲୀର କେତେକ ଅଞ୍ଚଳରେ ସକାଳ ୪ଟା ସୁଦ୍ଧା ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଉଦବେଗଜନକ ଥିଲା। ଆନନ୍ଦ ବିହାରରେ, ଏକ୍ୟୁଆଇ ୫୭୨ ରେକର୍ଡ ହୋଇଥିବାବେଳେ ମଣ୍ଡିର ମାର୍ଗ ଅଞ୍ଚଳରେ ଏକ୍ୟୁଆଇ ୭୮୫ରୁ ଅଧିକ ଥିଲା | ଜାହାଙ୍ଗୀରପୁରୀ ଅଞ୍ଚଳରେ ୭୭୩ରୁ ଅଧିକ ଏକ୍ୟୁଆଇ ଦେଖାଯାଇଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ତଥ୍ୟ ଅନୁଯାୟୀ, ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଥିବା ଏକ୍ୟୁଆଇ ୪୬୧ରହିଛି।

ସୂଚନା ମୁତାବକ, ଦିଲ୍ଲୀ-ଏନ୍‌ସିଆର୍‌ରେ ବ‌ାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ମା‌ଧ୍ୟମ‌ରେ ଏକ ନୂଆ ଆଇନ ଆ‌ଣିଥିଲେ। ନୂଆ ଆଇନ ଅଧୀନରେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ‌ଜେଲ୍‌ଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା କରାଯିବ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ବାୟୁର ମାନ ତଦାରଖ ପାଇଁ ଏକ କମିଟି ଗଠନ ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍ଥାୟୀ କମିସନ୍‌ ପ୍ରଦୂଷଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବା ସହ ଉତ୍ତମ ସହଯୋଗ, ଗବେଷଣ‌ା ଦ୍ବାରା କିଭଳି ବାୟୁର ମାନ ପରିଚାଳନା କରିହେବ ସେଥିପ୍ରତି ଗୁରୁତ୍ବ ଦେବ।
Spread the love