April 20, 2024

Satya News

odia news channel

ନେତାଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ

୮୫ ଜଣିଆ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୩ ଜଣ ଓଡ଼ିଆ

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଜାତୀୟ ସ୍ତରୀୟ କମିଟି ଗଠିନ ହୋଇଛି । ପ୍ରଧାନମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ସଦସ୍ୟ ରହିଛନ୍ତି। ୮୫ ଜଣିଆ ଏହି କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୩ ଜଣ ଓଡ଼ିଆ ସଦସ୍ୟ ସ୍ଥାନ ପାଇଛନ୍ତି । ଅନ୍ୟ ୨ ଓଡ଼ିଆ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ କଟକ ସାଂସଦ ଭର୍ତ୍ତୃହରି ମହତାବ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିନକୁ ଅତ୍ୟନ୍ତ ଭବ୍ୟ କରିବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଏଥିପାଇଁ ବର୍ଷ ତମାମ ବିଭନ୍ନ କାର୍ଯ୍ୟକ୍ରମ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮୫ ଜଣିଆ କମିଟି ଗଠନ କରିଛନ୍ତି । ଦିଲ୍ଲୀ ଓ କୋଲ୍‍କାତା ସମେତ ନେତାଜୀ ଓ ଆଜାଦ୍‍ ହିନ୍ଦ୍‍ ଫୌଜ୍‍ ଜଡ଼ିତ ଥିବା ଦେଶ ଓ ବିଦେଶରେ  ଜୟନ୍ତୀ ପାଳନ ପାଇଁ ଏହି କମିଟି ବିଭିନ୍ନ ଯୋଜନା ପ୍ରସ୍ତୁତ କରିବ । ବିଶେଷ କରି ନେତାଜୀ ଓ ତାଙ୍କ ଇଣ୍ଡିଆନ ନ୍ୟାସନାଲ ଆର୍ମି ବା ଆଜଦ ହିନ୍ଦ ଫୌଜ ସହ ସମ୍ପର୍କ ରଖିଥିବା ସ୍ଥାନ ଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଭାରତ ବାହାରେ ମଧ୍ୟ ନେତାଜୀଙ୍କ ପାଇଁ ସବୁ ପ୍ରକାରର କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ସେପଟେ ନେତାଜୀ ଜୟନ୍ତୀ କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରାଯାଇଛି। ଏ କମିଟିରେ ପଶ୍ଚିମବଙ୍ଗରୁ ୨୬ ଜଣ ଥିବା ବେଳେ ଓଡ଼ିଶାରୁ ମାତ୍ର ୩ ଜଣ ସଦସ୍ୟ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି କଂଗ୍ରେସ। ପଶ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚାଲ୍ କରିଛନ୍ତି । ଏହି କମିଟିରେ ସୁରଟର ସରପଞ୍ଚ ଅଛନ୍ତି, ଅଥଚ କଟକର ବିଧାୟକ ନାହାନ୍ତି ବୋଲି ଅଭିଯୋଗ ହୋଇଛି।

Spread the love