March 28, 2024

Satya News

odia news channel

‘ଜଜ୍‌ ସାହେବ, ମୋତେ ନ୍ୟାୟ ମିଳୁ…’

ନୂଆଦିଲ୍ଲୀ,୧୨/୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଘଟଣା ବୁଧବାର ପୁଣି ଏକ ନୂଆମୋଡ଼ ନେଇଛି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ଡେଥ୍‌ ଓ୍ଵାରେଣ୍ ଜାରି ପାଇଁ ‘ଟ୍ରାଏଲ କୋର୍ଟ’ରେ ଆବେଦନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଥିଲେ। ମାତ୍ର ଫାଶୀକୁ ଟାଳିବା ପାଇଁ ଦୋଷୀମାନେ ବୁଧବାର ପୁଣିଥରେ ଆଇନ୍‌ର ନୂଆ ଏକ ଖେଳ ଖେଳିବାକୁ ଆରମ୍ଭ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପଓ୍ଵନ ଗୁପ୍ତା ଦିଲ୍ଲୀ ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତରେ ଏକ ମାମଲା ଆଗତ କରି ମାମଲା ଲଢ଼ିବା ପାଇଁ ଓକିଲଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଥିବା କହିଛି। ଏଥିପାଇଁ ଆଇନ ସହାୟତା ଯୋଗାଇବା ସହ ନୂତନ ଓକିଲ ନିଯୁକ୍ତି ପର୍ଯ୍ୟନ୍ତ ସମୟ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛି। ଦୋଷୀ ପଓ୍ଵନ ଗୁପ୍ତା ପକ୍ଷରୁ ଆଗତ ଏହି ମାମଲାର ତୀବ୍ର ବିରୋଧ କରିଛନ୍ତି ପୀଡ଼ତା ନିର୍ଭୟାଙ୍କ ମା’ ଆଶାଦେବୀ ଓ ତାଙ୍କ ଓକିଲ। ଆଶାଦେବୀ ଅଦାଲତ ଭିତରେ ଭେଁ ଭେଁ ହୋଇ କାନ୍ଦିବା ସହ ବିଚାରପତିଙ୍କୁ କହିଥିଲେ, ଦୋଷୀ ସାବ୍ୟସ୍ତ ହୋଇସାରିଥିବା ଅପରାଧୀଙ୍କ ନ୍ୟାୟିକ ଅଧିକାରର ସବୁ ଦିଗକୁ ତନ୍ନ ତନ୍ନ କରି ବିଚାର କରାଯାଉଛି। ହେଲେ ପୀଡ଼ିତାର ମା’ ଭାବେ କ’ଣ ମୋର କୌଣସି ଅଧିକାର ନାହିଁ। କାଲି ପର୍ଯ୍ୟନ୍ତ ଦୋଷୀଙ୍କ ପାଖରେ ଓକିଲ ଥିଲେ କିନ୍ତୁ ଆଜି ମୁଁ ଯେତେବେଳେ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ତାରିଖ ମାଗୁଛି ସେତେବେଳେ ତାଙ୍କ ପାଖରେ ଓକିଲ ନାହାନ୍ତି। ଏପରି ସ୍ଥଳେ ମୁଁ ଯୋଡ଼ହସ୍ତ ହୋଇ ବିଚାରପତିଙ୍କ ନିକଟରୁ ଜାଣିବାକୁ ଚାହୁଁଛି, ପୀଡ଼ିତାର ମା’ ଭାବେ ମୋର କିଛି ଅଧିକାର ଅଛି ନା ନାହିଁ? ୭ ବର୍ଷ ଅଦାଲତର ଚକ୍କର କାଟିବା ପରେ ଆଉ କେତେ ଦିନ ନ୍ୟାୟ ପାଇଁ ଅପେକ୍ଷା କରିବି।ଏଥିସହ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଆଶାଦେବୀଙ୍କ ଯୁକ୍ତି ଶୁଣିବା ପରେ ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଦୋଷୀ ପଓ୍ଵନ ଗୁପ୍ତା ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

Spread the love