March 28, 2024

Satya News

odia news channel

ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଚାଷୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି: ପୁଲିସକୁ ଘେରିଲେ ଶତାଧିକ ଚାଷୀ

 

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ବିବାଦ ଲାଗଥିବା ବେଳେ ଗତକାଲି ରାତିରେ ପୁଲିସ୍ ଦୁଇଜଣ ଚାଷୀଙ୍କୁ ଉଠାଇ ନେଇଥିଲା। ଏହି ଦୁଇ ଚାଷୀ ହେଲେ କମଳେଶ ଦୀକ୍ଷିତ ଓ ପ୍ରକାଶ ଦୀକ୍ଷିତ। ଏହାର ପ୍ରତିବାଦରେ ଉପରମୁଣ୍ଡ ଚାଷୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଖାଲି ସେତିକି ନୁହେଁ, ଶତାଧିକ ଚାଷୀ ପୁଲିସକୁ ଘେରି ସେମାନଙ୍କୁ ଏକ ମନ୍ଦିରରେ ବନ୍ଦ କରି ରଖିଥିଲେ। ପୁଲିସ୍ କମଳେଶ ଦୀକ୍ଷିତ ଓ ପ୍ରକାଶ ଦୀକ୍ଷିତଙ୍କୁ ଛାଡ଼ିବା ପରେ ଅଟକ ରଖାଯାଇଥିବା ପୁଲିସଙ୍କୁ ବି ଚାଷୀମାନେ ମୁକ୍ତ କରିଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ବିବାଦ ନୂଆପଡ଼ା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ହେବାରେ ଲାଗିଥିଲା। ଉଭୟ ମୁଣ୍ଡ ଚାଷୀ ନିଜ ନିଜ ଜିଦରେ ଅଟଳ ଥିଲେ। ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଦିଆଯାଇ ନଥିବାରୁ ଚାଷୀମାନେ ୩୦ ଜାନୁଆରିରୁ ୪ଟି ସ୍ଥାନରେ ରାସ୍ତାରୋକ କରିଥିଲେ। ନୂଆପଡ଼ାରୁ ପତୋରାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ମାଟି ଏବଂ ଗଛ ପକାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିଥିଲେ।
ଜିଲ୍ଲା ପ୍ରଶାସନ ତଳମୁଣ୍ଡକୁ ପାଣି ଦେବା ସହ ଉପରମୁଣ୍ଡରେ ଥିବା ୧୦ଟି ଆଉଟଲେଟ୍କୁ ବନ୍ଦ କରିବାକୁ ଦାବି କରିଥିଲେ। ଧାରଣାର ୪ ଦିନ ପରେ ବୁଧବାର ୧୪୪ ଧାରା ଜାରି କରାଯାଇଥିଲା। ନୂଆପଡ଼ା ଏସପି ରାହୁଲ ଜୈନଙ୍କ ନିର୍ଦେଶରେ ଏବଂ ଉପଜିଲ୍ଲାପାଳ ତରଣୀସେନ ନାଏକ, ଏଏସପି ସୁନୀଲ ଆଚାର୍ଯ୍ୟ, ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ୫ ପ୍ଲାଟୁନ ଫୋର୍ସ ଲଗାଇ ବୁଧବାର ସକାଳ ୫ରୁ ୭ଟା ପର୍ଯ୍ୟନ୍ତ ଭାଙ୍ଗିଥିବା ୧୦ଟି ଆଉଟଲେଟ ମରାମତି କରାଯାଇଥିଲା। ପରେ ୯ଟି ଆଉଟଲେଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ଡ୍ୟାମ୍ରୁ ପାଣି ଛଡ଼ାଯାଇଥିଲା। ତଳମୁଣ୍ଡକୁ ପାଣି ପହଞ୍ଚିବା ପରେ ୪ଟି ସ୍ଥାନରେ ଧାରଣାରେ ବସିଥିବା ଚାଷୀମାନେ ଉଠିଥିଲେ। ଅନ୍ୟପକ୍ଷେ, ଗୁରୁବାର ଉପରମୁଣ୍ଡର ଚାଷୀମାନେ ୪ ଦଫା ଦାବି ନେଇ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ ।

Spread the love