March 28, 2024

Satya News

odia news channel

ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିରେ ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର

 

ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଗଠିତ ଷ୍ଟାଣ୍ଡିଂ କମିଟିରେ ୨ ଓଡିଆ ସାଂସଦ ସ୍ଥାନ ପାଇଛନ୍ତି । ଅଲମ୍ପିକ ପ୍ରସ୍ତୁତି ଉପରେ ନଜର ରଖିବ ସଂସଦୀୟ କମିଟି । ଶିକ୍ଷା ମନ୍ତ୍ରାଳୟର ଏହି ଷ୍ଟାଣ୍ଡିଂ କମିଟି ଭାରତୀୟ ଦଳର ଅଲମ୍ପିକ ପ୍ରସ୍ତୁତିର ତଦାରଖ କରିବ । ଏହି କମିଟି ରାଜ୍ୟସଭା ସାଂସଦ ବିନୟ ସହଶ୍ରବୁଦ୍ଧେଙ୍କ ନେତୃତ୍ୱରେ ଗଠିତ ହୋଇଥିବା ବେଳେ ଏଥିରେ ଓଡିଶାର ୨ ସାଂସଦଙ୍କୁ ସ୍ଥାନ ମିଳିଛି । ତେବେ ଗୁରୁବାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି ।

ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଏଥିରେ ସ୍ଥାନ ମିଳିଛି । ବର୍ତ୍ତମାନ ଯାଏଁ ଅଲମ୍ପିକ ପ୍ରସ୍ତୁତି କିପରି ଚାଲିଛି, କଣ ସବୁ ଗ୍ରେ ଏରିଆ ରହିଛି ଓ ଏଥିରେ କଣ ସୁଧାର ଆସିବ ସେନେଇ ଷ୍ଟାଣ୍ଡିଂ କମିଟି ତଦାରଖ କରିବ ।

ଚଳିତ ବର୍ଷ କରୋନା ପାଇଁ ଅଲମ୍ପିକ ପ୍ରସ୍ତୁତି ବିଳମ୍ବିତ ହୋଇଛି । ତେବେ ଖେଳାଳିମାନେ ଦିଲ୍ଲୀ, ପଟିଆଲା, ସୋନିପଥ ଓ ବେଙ୍ଗାଲୁରୁରେ ପ୍ରସ୍ତୁତି ଚଳାଇଛନ୍ତି ।ଏହା ମଧ୍ୟରୁ କୌଣସି ଏକ ସ୍ଥାନକୁ ଷ୍ଟାଣ୍ଡିଂ କମିଟି ଗସ୍ତ କରି ସ୍ଥିତିର ଯାଞ୍ଚ କରିବ ।

ଏହାମଧ୍ୟରେ ରାଜ୍ୟସଭା ସଚ୍ଚିବାଳୟ ପକ୍ଷରୁ ଅଲମ୍ପିକ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର କ୍ରୀଡା ମନ୍ତ୍ରାଳୟକୁ ଚିଠି ଲେଖି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ତାଲିକା ମଧ୍ୟ ମଗାଯାଇଛି ।

Spread the love