April 25, 2024

Satya News

odia news channel

ପଦ୍ମ ପୁରସ୍କାର ଘୋଷିତ: ଓଡ଼ିଶାରୁ ୧୦ ଜଣ ହେବେ ସମ୍ମାନିତ

ନୂଆଦିଲ୍ଲୀ,୨୬/୧: ୭୧ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସରକାରଙ୍କ ପକ୍ଷରୁ ଶନିବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ମୋଟ ୧୪୧ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ, ସୁଷମା ସ୍ୱରାଜ ଓ ଅରୁଣ ଜେଟଲି(ମରଣୋତ୍ତର) ଏବଂ କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜିଙ୍କୁ ଦେଶର ଏହି ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବ। ୧୬ ଜଣଙ୍କୁ ପଦ୍ମଭୁଷଣ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ ଏମ.ମୁମତାଜ ଅଲ୍ଲୀ(ଆଧ୍ୟାତ୍ମକତା), ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍‌, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି, କ୍ରିଷ୍ଣାମାଲ ଜଗନ୍ନାଥନ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସସି ଜମିର, ଅନୀଲ ପ୍ରକାଶ ଜୋଷୀ, ଡ. ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ପ୍ରଫେସର ଜଗଦୀଶ ସେଠ, ପିଭି ସିନ୍ଧୁ ଏବଂ ଶିଳ୍ପପତି ବେନୁ ଶ୍ରୀନିବାସନ। ଏଥିସହ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବାନେଇ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୮ ଜଣଙ୍କୁ ମନୋନୀତ କରାଯାଇଥିବାବେଳେ ବାହାରେ ଥିବା ଦୁଇଜଣ ଓଡ଼ିଆ ଏହି ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଶିଷ୍ଠ ସମାଜସେବୀ ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡ. ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଙ୍ଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ଓଡ଼ିଶାରୁ ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ ହୋଇଛନ୍ତି। ଏଥିସହ ଓଡ଼ିଶା ବାହାରେ ରହୁଥିବା ଡ. ଦିଗମ୍ବର ବେହେରା ଏବଂ ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ପୁରସ୍କାର ପାଇବେ।

Spread the love