March 27, 2024

Satya News

odia news channel

ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ

 

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ବିରୋଧ ସହ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି।

ରାଜରାସ୍ତାରେ ଚାଷୀ ଆନ୍ଦୋଳନ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରି ପ୍ରକାଶ ସିଂ ବାଦଲ ଏହି ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପଦ୍ମ ବିଭୂଷଣ ସମ୍ମାନ ଫେରାଇବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଚିଠି ଲେଖି ଜଣାଇଛନ୍ତି ପ୍ରକାଶ ସିଂ ବାଦଲ। ଏଭଳି ଏକ ମୁହୂର୍ତ୍ତରେ ସେ ଅତି ଦୁଃଖର ସହ ସମ୍ମାନ ଫେରାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ଯାହା ବି ହୋଇଛନ୍ତି ତାହା କେବଳ ନିଜ ରାଜ୍ୟବାସୀଙ୍କ ଭଲ ପାଇବା ଯୋଗୁ। ସେ ଏତେ ଗରିବ ଯେ, ଚାଷୀଙ୍କୁ ଦେବା ଲାଗି ତାଙ୍କ ପାଖରେ କିଛି ନାହିଁ। କେବଳ ସମ୍ମାନ ଥିବାରୁ ସେତକ ଫେରାଉଛନ୍ତି ବୋଲି ପ୍ରକାଶ ସିଂ ବାଦଲ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଥାଉ କି, ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମୋଦି ସରକାର ଓ NDA ରୁ ଓହରି ଯାଇଥିଲା ଅକାଳୀ ଦଳ।

Spread the love