March 28, 2024

Satya News

odia news channel

ପଶ୍ଚିମବଙ୍ଗ ମାଲଦା ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ ୫ ମୃତ

 

କୋଲ୍‌କାତା: ଗୁରୁବାର ଦିନ ପଶ୍ଚିମବଙ୍ଗର ମାଲ୍‌ଦା ଜିଲ୍ଲାର ଏକ ପ୍ଲାଷ୍ଟିକ୍‌ କାରଖାନାରେ ବିସ୍ଫୋରଣ ଯୋଗୁଁ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ମାଲଦା ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁଜାପୁର ଅଞ୍ଚଳରେ ଘଟଣାଟି ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳକୁ ବ୍ୟାପକ ପୁଲିସ ପଠାଯାଇଛି। ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

କାରଖାନାରେ ବ୍ୟବହୃତ ଇଲେକ୍ଟ୍ରିକାଲ୍‌ ମେସିନ୍‌ଗୁଡ଼ିକରୁ ଗୋଟିକରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ମାଲଦା ଏସ୍‌ପି ଆଲୋକ ରାଜରାୟ କହିଛନ୍ତି, କାରଖାନା ବିସ୍ଫୋରଣରେ ସମୁଦାୟ ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କାରଖାନାରେ ଥିବା ୪୫ ଅଶ୍ବଶକ୍ତିସମ୍ପନ୍ନ ଏକ ବୈଦ୍ୟୁତିକ ମେସିନ୍‌ରେ କିଛି ବୈଷୟିକ ତ୍ରୁଟିଯୋଗୁଁ ବିସ୍ଫୋରଣ ଘଟିଛି।

ମୃତବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତମାନଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ପରିସ୍ଥିତିର ସମୀକ୍ଷା ନିମନ୍ତେ ବରିଷ୍ଠ ମନ୍ତ୍ରୀ ଫାର୍‌ହଦ୍‌ ହକିମ୍‌ଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

Spread the love