April 18, 2024

Satya News

odia news channel

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା: ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ

 

ଭୁବନେଶ୍ବର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁର ରିମାଣ୍ଡ ଆବେଦନ ଉପରେ ଜିଲ୍ଲା ଦୌରାଜଜ ଅଦାଲତ ଶୁଣାଣି କରିଛନ୍ତି। ରାକେଶ ସ୍ବାଇଁ ଆସନ୍ତାକାଲି (୨୦୨୧ ଫେବ୍ରୁଆରି ୨ ତାରିଖ) ଠାରୁ ତିନି ଦିନିଆ ରିମାଣ୍ଡରେ ଯିବ। ପୂର୍ବରୁ ରାକେଶକୁ  ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୁଆଖିଆ ଥାନା ପୁଲିସ ଆବେଦନ କରିଥିଲା । ଆଜି ଏହି ରିମାଣ୍ଡ ଆବେଦନର ଶୁଣାଣି କରି କୋର୍ଟ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ପ୍ରଦାନ କରିଛନ୍ତି ।

କୋର୍ଟଙ୍କ ଅନୁମତି ପରେ ପୁଲିସ ରାକେଶକୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ । ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିବ । ଝରାଫୁଲ-ରାକେଶ ଲିଙ୍ଗରାଜ ଷ୍ଟେସନ ନିକଟ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି ?

ସେହିଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇଥିଲେ କି ? ସେଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କ’ଣ ଘଟିଥିଲା, ସେବାବଦରେ ରାକେଶ ଠାରୁ ଜାଣିବା ପାଇଁ ଉଦ୍ୟମ କରିବ ପୁଲିସ । ଆଉ ଆବଶ୍ୟକ ପଡିଲେ, ପୁଲିସ ରାକେଶକୁ ସେହି ସବୁ ସ୍ଥାନକୁ ନେଇ ସିନ୍ ରି-କ୍ରିଏସନ କରିବ ବୋଲି ଚର୍ଚ୍ଚା ହେଉଛି ।

Spread the love