March 28, 2024

Satya News

odia news channel

ସୂଚନା ଅଧିକାର କର୍ମୀଙ୍କ ପାଇଁ ଓଡ଼ିଶା ସବୁଠୁ ବିପଦପୂର୍ଣ୍ଣ

ଭୁବନେଶ୍ୱର,୧୧/୨: ଓଡ଼ିଶା ସୂଚନା କର୍ମୀଙ୍କ ପାଇଁ ଓଡ଼ିଶା ଏବେ ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ପାଲଟିଗଲାଣି। ଏଠାରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ଦିନକୁଦିନ ବୃଦ୍ଧି ପାଉଥିବାବେଳେ ସୂଚନା ଉକ୍ତ ଆଇନ ବଳରେ ତଥ୍ୟ ମାଗିଲେ ହତ୍ୟା କରାଯାଉଛି। ଏହି ଘଟଣାକୁ ୧୮ଜଣ ପୂର୍ବତନ ଆଇଏଏସ ଅଧିକାରୀ କଡ଼ା ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରାଜ୍ୟରେ ସରକାର ତୁରନ୍ତ ‘ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ୍ ଆକ୍ଟ’ କାର୍ଯ୍ୟକାରୀ କରାନ୍ତୁ ବୋଲି ଦାବି କରିଛନ୍ତି। କେନ୍ଦ୍ରାପଡ଼ାର ରଞ୍ଜନ ଦାସ ଓ କନ୍ଧମାଳର ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାକୁ ନେଇ ଅଧିକାରୀମାନେ ଚିନ୍ତିତ ହୋଇପଡିଛନ୍ତି। ସୂଚନାନୁଯାୟୀ, ନିକଟରେ କେନ୍ଦ୍ରାପଡ଼ାରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯିବା ପରେ ଦେଶର ୧୮ଜଣ ପୂର୍ବତନ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଓଡ଼ିଶାରେ ବାରମ୍ବାର ସୂଚନା ଅଧିକାର କର୍ମୀଙ୍କ ଉପରେ ବଢୁଥିବା ହିଂସାତ୍ମକ ଆକ୍ରମଣ, ସେମାନଙ୍କ ଜୀବନ ପ୍ରତି ବିପଦ ବଢାଇବାରେ ଲାଗିଛି। ଯେଉଁଭଳି ଢଙ୍ଗରେ ସୂଚନା କର୍ମୀଙ୍କୁ ହତ୍ୟା କରାଯାଉଛି ସେଥିପାଇଁ ରାଜ୍ୟରେ ତୁରନ୍ତ ହ୍ୱିସଲବ୍ଲୋୟର ପ୍ରୋଟେକ୍ସନ ଆକ୍ଟ ସରକାର ଆଣିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଏହି ପୂର୍ବତନ ଅଧିକାରୀମାନେ କହିଛନ୍ତି। ଆରଟିଆଇ କର୍ମୀମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଏହି ଆଇଏଏସମାନେ ଦାବି କରିଛନ୍ତି। ଏଥିସହ ମନରେଗା ଯୋଜନାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରଯାଇଥିବା ତଦନ୍ତ ପଦ୍ଧତିକୁ ପ୍ରତ୍ୟେକ ବିଭାଗ ଲାଗୁ କରିବା ଉଚିତ୍ ବୋଲି ପୂର୍ବତନ ଆଇଏଏସ ଅରୁଣା ରାୟ, ହର୍ଷ ମନ୍ଦର, ଏନସି ସାକସେନା, କେଶବ ଦେଶରାଜୁ, ବିଭାପୁରୀ ଦାସ, ଦେବ ମୁଖାର୍ଜୀ, ଅରବିନ୍ଦ ବେହେରା, ମୀନା ଗୁପ୍ତା, ନିତେନ ଦେଶାଇ, ଅଶୋକ କୁମାର ଶର୍ମା ପ୍ରମୁଖ ୧୮ଜଣ ଆଇଏଏସ ଅଫିସର ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଦାବି କରିଛନ୍ତି।

Spread the love