December 1, 2023

Satya News

odia news channel

ଗଣତନ୍ତ୍ର ଦିବସ: ଚାରି ଥାକିଆ ସୁରକ୍ଷା ବଳୟରେ ରାଜଧାନୀ

ନୂଆଦିଲ୍ଲୀ,୨୬/୧: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ପୋଲିସ ରାଜଧାନୀ ଦିଲ୍ଲୀରେ ୧୦ ହଜାର ଯବାନ, ୧୫୦ କ୍ୟାମେରା, ଶତାଧିକ ସିସିଟିଭି, ଡ୍ରୋନ କ୍ୟାମେରା ସହ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି। ଚଳିତବର୍ଷ ସ୍ଥାନେ ସ୍ଥାନେ ଚେହେରା ଚିହ୍ନଟ ମେସିନ ଓ ମୋବାଇଲ କଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଏହି ଦିବସରେ ମୁଖ୍ୟଅତିଥି ହୋଇଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଦିଲ୍ଲୀ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି ବ୍ୟାପକ ହେବ। ରାଜପଥରୁ ପରେଡ ମାର୍ଗ ଯାଏ ଉଚ୍ଚ ଅଟ୍ଟାଳିକାରୁ ନଜର ରଖିବା ପାଇଁ ସାର୍ପ ସୁଟର ଓ ସ୍ନାଇପର ନିୟୋଜିତ ହେବେ। ଲାଲକିଲ୍ଲା, ଚାନ୍ଦନିଚୌକ, ଯମୁନା କାଦର ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୧୫୦ କ୍ୟାମେରା ଓ ଶତାଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ରାଜଧାନୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଡ୍ରୋନ କ୍ୟାମେରା ମାଧ୍ୟମରେ ଆକାଶ ମାର୍ଗରୁ ପରେଡସ୍ଥଳ ସମେତ ସମଗ୍ର ଦିଲ୍ଲୀ ଉପରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନ ଓ ଅଟ୍ଟାଳିକାରେ ବ୍ଲାକ କ୍ୟାଟ କମାଣ୍ଡୋ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ। ସେହିପରି ବ୍ୟସ୍ତବହୁଳ ବଜାର, ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଅତିରିକ୍ତ ଯବାନ ଓ ପୋଲିସ କର୍ମଚାରୀ ପହରା ଦେବେ। ଏହାବ୍ୟତୀତ ହୋଟେଲ, ଟ୍ୟାକ୍ସିବାଲା ଏବଂ ଅଟୋବାଲାଙ୍କୁ ମଧ୍ୟ ସତର୍କ ରହିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Spread the love