କେନ୍ଦୁଝର,୧୨/୨: ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ବାସ୍ତବ କ୍ଷେତ୍ରରେ ସେଭଳି କିଛି ପରିବର୍ତ୍ତନ ପ୍ରତୀୟମାନ ହେଉନାହିଁ। ଏବେ ବି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର କୁଶକଳା କାଦଡ଼ିହା ବାଂଶପାଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, କାଦଡ଼ିହା ଗ୍ରାମର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କର ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ଗ୍ରାମର ଜଣେ ମହିଳା ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଆଡମିଟ୍ କରାଯାଇ ନଥିଲା। ଫଳରେ ସେ ଏକ ବସ୍ ଯୋଗେ ଘରକୁ ଫେରି ଆସିଥିଲେ। ବସରୁ ଓହ୍ଲାଇ ସେ କୁଶକଳାରୁ ଘରକୁ ଚାଲିଚାଲି ଫେରୁଥିବା ସମୟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ଖୋଲା ପଡ଼ିଆରେ ଗଛମୂଳରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନେଇ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟ ମା’ ଓ ଶିଶୁକନ୍ୟା ସୁରକ୍ଷିତ ଅଛନ୍ତି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ